ଥାଇସେନକ୍ରୁପ୍ ର ଓଡ଼ିଶାରେ ଏଣ୍ଟ୍ରି,ବଢିବ ନିର୍ମାଣ ଉପକରଣ

ନିର୍ମାଣ ଉପକରଣ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଥାଇସେନକ୍ରୁପ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଓଡ଼ିଶାରେ ଏହାର ନିଜସ୍ବ କାରଖାନା ସ୍ଥାପନ କରିବା ବିଷୟରେ ବିଚାର କରୁଛି। ଏ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ବିବେକ ଭାଟିଆ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାରେ କାରଖାନା ବସାଇବା ଲାଗି ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଏହି ଯୋଜନା ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ତେଣୁ କେତେ ବଡ଼ କାରଖାନା ହେବ ଏବଂ କେତେ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ତାହା ଏବେଠାରୁ କହିବା କଷ୍ଟକର। ତେବେ ଓଡ଼ିଶାରେ ଯେଉଁ କାରଖାନା ସ୍ଥାପନ କରାଯିବ ତାହା ଭାରତ ସମେତ ସାରା ବିଶ୍ବର ଚାହିଦା ପୂରଣ କରିବ ବୋଲି ସେ କହିଛନ୍ତି। ଶ୍ରୀ ଭାଟିଆ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ କଂପାନି ଖୁବ୍ଶୀଘ୍ର ଭୁବନେଶ୍ବରରେ ଏହାର ଏକ କାର୍ଯ୍ୟାଳୟ ସ୍ଥାପନ କରିବ।

ସେଥିପାଇଁ ଉପଯୁକ୍ତ ସ୍ଥାନ ସନ୍ଧାନ କରାଯାଉଛି। ସେହି କାର୍ଯ୍ୟାଳୟରେ କଂପାନିର ସବୁ କ୍ଷେତ୍ରର କର୍ମଚାରୀ ରହିବେ। ଓଡ଼ିଶାର ବିଭିନ୍ନ ସ୍ଥାନରେ କଂପାନି ଯେଉଁ ପ୍ରକଳ୍ପ ସବୁ ହାତକୁ ନେଇଛି ତାହାର ସେମାନେ ତଦାରଖ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ଯ୍ୟାଳୟରେ ୪୦-୫୦ କର୍ମଚାରୀ କାର୍ଯ୍ୟ କରିବେ। ସ୍ଥାନୀୟ ପ୍ରକଳ୍ପ ପରିଚାଳନା, ଇଞ୍ଜିନିୟରିଂ ଓ ସର୍ଭିସ୍ ଯୋଗାଣ ଉପରେ ସେମାନେ ଧ୍ୟାନ ଦେବେ।

ଥାଇସେନକ୍ରୁପ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ହେଉଛି ଜର୍ମାନୀର କଂପାନି ଥାଇସେନକ୍ରୁପ୍ ଏକ ଅଂଶ। ଏହା ଭାରତରେ ଓପନ୍ କାଷ୍ଟ ଖଣି ପରିଚାଳନାଠାରୁ ଆରମ୍ଭ କରି ସିମେଣ୍ଟ କାରଖାନା, ଶିଳ୍ପ ବଏଲର, ପାୱାର ପ୍ଲାଣ୍ଟ ଓ ଚିନି କଳ ଆଦି ସ୍ଥାପନ କରିବା କାର୍ଯ୍ୟ କରୁଥିବା ବେଳେ କାରଖାନାଗୁଡ଼ିକ ସ୍ଥାପନ ଲାଗି ମେସିନ ମଧ୍ୟ ଯୋଗାଇ ଦେଉଛି।

କଂପାନି ସର୍ଭିସ୍, ସ୍ପେୟାର ପାର୍ଟସ୍ ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ସୁବିଧା ମଧ୍ୟ ଯୋଗାଇ ଦେଉଛି। ଓଡ଼ିଶାର ବହୁ କଳ କାରଖାନା ସ୍ଥାପନ କରିବାରେ ଥାଇସେନ୍କ୍ରୁପ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଲୁହାପଥର ଖଣି ପରିଚାଳନା ଏବଂ ତାଳଚେରରେ କଂପାନି ବଏଲର ମଧ୍ୟ ସ୍ଥାପନ କରିଛି।
ଓଡ଼ିଶାରେ ଥାଇସେନ୍କ୍ରୁପ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଯେଉଁ କାରଖାନା ସ୍ଥାପନ କରିବ ସେଠାରେ ସବୁ ପ୍ରକାର ଉପକରଣ ଉତ୍ପାଦନ କରାଯିବ। ଭାରତର ବିଭିନ୍ନ ପ୍ରକଳ୍ପକୁ ତାହା ଯୋଗାଇ ଦେବା ସହ ରପ୍ତାନି କରିବାକୁ ମଧ୍ୟ କଂପାନି ଯୋଜନା ରଖିଛି। ବର୍ତ୍ତମାନ କଂପାନିର ଦୁଇଟି କାରଖାନା ମହାରାଷ୍ଟ୍ରର ପୁନେ ଓ ତେଲେଙ୍ଗାନାର ହାଇଦ୍ରାବାଦରେ ରହିଛି। ସେହି କାରଖାନାଗୁଡ଼ିକରେ ଉନ୍ନତ ମେସିନ ସପ୍, ଫେବ୍ରିକେସନ ୟୁନିଟ୍, ଉପରକଣ ପରୀକ୍ଷଣ ବ୍ୟବସ୍ଥା ଆଦି ରହିଛି। ଓଡ଼ିଶାରେ ମଧ୍ୟ କଂପାନି ସେହି ଧରଣର ପୂର୍ଣ୍ଣାଙ୍ଗ କାରଖାନା ସ୍ଥାପନ କରିବାକୁ ଚାହୁଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!