ବଦଳୁଛି ପାଣିପାଗର ମିଜାଜ୍ । ନଭେମ୍ବରରେ ଶୀତ କମ୍ । ତାତି ଅଧିକ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିବ ରାତିର ତାପମାତ୍ରା । ପଶ୍ଚିମ ଝଡ ପ୍ରଭାବରେ ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା । ଦୀର୍ଘ କାଳୀନ ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ କମ୍ ରହିବ । ପାହାଡିଆ ଅଞ୍ଚଳରେ ବି ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ପୂର୍ବାଳି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ ଏଭଳି ସ୍ଥିତି ଦେଖାଦେବ । ଏଥିପାଇଁ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ଏବଂ ରେଡ ମାର୍କ ଜାରି କରିଛି ଆଇଏମଡି । ଏହାସହ ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେଲେ ତାପମାତ୍ରା ଅଧିକ ରହିବ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ରାତ୍ରୀର ତାପମାତ୍ରାରେ ବୃଦ୍ଧି ଘଟିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି ଉଦୟଗିରିରେ ୧୪ଡିଗ୍ରୀ, ଦାରିଙ୍ଗବାଡିରେ ୧୫ଡିଗ୍ରୀ, କିରେଇରେ ୧୫.୩ ଡିଗ୍ରୀ ଏବଂ ଫୁଲବାଣୀରେ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଆରଣର ବର୍ଷା ହେବା ସହ ରାତିର ତାପମାତ୍ରା ବୃଦ୍ଧି ହେବ । ଚଳିତ ବର୍ଷ ମୌସୁମୀ ଋତୁ ବି ସବୁଠାରୁ ଉତ୍ତପ୍ତ ଭାବରେ ରେକର୍ଡ କରିଥିଲା । ନଭେମ୍ବର ମାସ ବି ସେହିଭଳି ରେକର୍ଡ କରିବାର ସମ୍ଭାବନା ରହିଛି ।….


