ଉଇଁଲା ନୂଆ ସୂର୍ଯ୍ୟ,ବଦଳିଲା କଳାହାଣ୍ଡିର ଭାଗ୍ୟ

କଳାହାଣ୍ଡି ଜିଲ୍ଲା ଗସ୍ତ କରି ‘ଲକ୍ଷ୍ମୀ ବସ୍’ର ଶୁଭାରମ୍ଭ ସହ ବହୁ ପ୍ରତୀକ୍ଷିତ କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆଠାରେ ଆୟୋଜିତ ଜନସମାବେଶକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗଠନ ଦିବସରେ ଜୁହାର ଓ ମା’ ମାଣିକେଶ୍ବରୀ ବୋଲି କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନାରେ ୬୩ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡ଼ିକୁ ଆହୁରି ଜୋର୍ରେ ଆଗକୁ ନେବ।କଳାହାଣ୍ଡିର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ୍୍୍ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୫–ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜୁନାଗଡ଼ ବିଧାୟକ ଦିବ୍ୟଶଂକର ମିଶ୍ର, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଭାସୀ ଜରିଆରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ପାଠ ପଢ଼ିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ପ୍ରତୀଶ କହିଥିଲେ ଯେ, ଏଠାରେ ପାଠ ପଢ଼ିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପଢ଼ୁଛୁ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଝାରୀ, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷଠାରୁ ପାଠପଢ଼ା ଆରମ୍ଭ ହୋଇଛି।

୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ଅଛନ୍ତି। ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!