ଜଣେ ରାଜନେତା ଭାବେ କେବଳ ପୁରୀରେ ନୁହେଁ, ସାରା ରାଜ୍ୟରେ ସେ ସୁପରିଚିତ ମହେଶ୍ବର । ଛାତ୍ର ଜୀବନରୁ ରାଜନୀତି କରୁଥିବା ମହେଶ୍ବର ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ପ୍ରଥମେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ପୁରୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ କିନ୍ତୁ ସେ ହାରିଯାଇଥିଲେ । ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ପୁରୀରେ ମହେଶ୍ବର ମହାନ୍ତି ଜନ୍ମ ହୋଇଥିଲେ । ଜଣେ ରାଜନୀତି ବିଜ୍ଞାନ ଓ ଆଇନ ଛାତ୍ର ଥିଲେ ମହେଶ୍ବର । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପେଶାରେ ସେ ଥିଲେ ଜଣେ ଆଇନଜୀବୀ । ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ ।
ଅବଶ୍ୟ ସେ ଛାତ୍ର ଜୀବନରୁ ରାଜନୀତି କରି ୧୯୭୩ରେ ପୁରୀ ଏସସିଏସ କଲେଜ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମଧ୍ୟ ଓଡିଆ ସୋସାଇଟିର ସେଥିଲେ ସାଧାରଣ ସମ୍ପାଦକ । ୧୯୭୮ରେ ସେ ପୁରୀ ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଲେ । ପରେ ୧୯୮୫ରୁ ୧୯୯୦ ଓ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇ ଦୁଇ ଥର ପୁରୀ ପୌରପରିଷଦର ଅଧ୍ୟକ୍ଷ ହୋଇଥିଲେ । ୧୯୯୪ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏକାଧିକ ବିଭାଗର ମନ୍ତ୍ରୀ ଓ ବାଚସ୍ପତି ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି ମହେଶ୍ବର । ଜଣେ ଅନୁଭବୀ ଓ ଅନୁଭୁତି ସମ୍ପନ୍ନ ରାଜନେତା ଭାବେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ ଓଡିଶା ବିଧାନସଭାର ବାଚସ୍ପତି । ବାଚସ୍ପତି ଥିବା ସମୟରେ ସେ ନେଇଥିବା ଅନେକଗୁଡିକ ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ଆଜି ବିଧାୟକମାନେ ତାଙ୍କୁ ଝୁରି ହେଉଛନ୍ତି । ନବୀନଙ୍କ ଟିମରେ ଆଇନ, ପର୍ଯ୍ୟଟନ, ରାଜସ୍ବ, ପଞ୍ଚାୟତିରାଜ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ବର । ୨୦୧୧ ମେ’ରୁ ୨୦୧୨ ଅଗଷ୍ଟ ପର୍ଯ୍ୟନ୍ତ ସେ ପଂଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୧୨ ଅଗଷ୍ଟରୁ ୨୦୧୪ ମେ ପର୍ଯ୍ୟନ୍ତ ସେ ଥିଲେ ଯୋଜନା ଓ ସଂଯୋଜନା ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ । ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ ଆଇନ ମନ୍ତ୍ରୀ ଦାୟିତ୍ବରେ ଥିଲେ । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ । ଓଡିଶା ବିଧାନସଭାର ବାଚସ୍ପତି ଭାବେ ସେ ୨୦୦୪ରେ କାନାଡାରେ ଅନୁଷ୍ଠିତ ହୋଇଥିବା ୫୦ତମ କମନଓ୍ବେଲଥ ପାର୍ଲାମେଣ୍ଟାରୀ କନଫରେନ୍ସରେ ଯୋଗଦେଇଥିଲେ । ୨୦୦୫ରେ ମଧ୍ୟ ଫିଜିରେ ଅନୁଷ୍ଠିତ ୫୧ତମ କମନଓ୍ବେଲଥ ପାର୍ଲାମେଣ୍ଟାରୀ କନଫରେନ୍ସରେ ଯୋଗଦେଇଥିଲେ । ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦଳକୁ ସୁଦୃଢ କରିବାକୁ ମଧ୍ୟ ପଦକ୍ଷେପ ନେଇଥିଲେ ମହେଶ୍ବର ।



