ଏଣିକି ପ୍ରା‌ଥମିକ ବିଦ୍ୟାଳୟରେ ୬ଟି ଶ୍ରେଣୀ

ପ୍ରାଥମିକ ବିଦ୍ୟାଳୟ ଉପରେ ଚାପ ବଢ଼ିବାକୁ ଯାଉଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଉ ଗୋଟିଏ ଶ୍ରେଣୀ ଯଥା ଶିଶୁବାଟିକା-୩ ଆସନ୍ତା ଶିକ୍ଷାବର୍ଷରୁ ଯୋଡ଼ିହେବ। ଏହାଦ୍ବାରା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ସଂଖ୍ୟା ୬ରେ ପହଞ୍ଚିବ। ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିଶୁବାଟିକା-୩ରେ ନାମ ଲେଖାଇବାକୁ ଥିବା ପିଲାଙ୍କୁ ଶିକ୍ଷାଦାନ କରିବେ। କ୍ଲାସରୁମ୍‌ରେ ପିଲାଙ୍କ ଯତ୍ନ ନେବେ। ସେମାନଙ୍କ ପାଠପଢ଼ା ସହ ଖେଳକୁଦ, ନାଚଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଦେଖିବେ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏଭଳି ପରିବର୍ତ୍ତନ ହେବାକୁ ଯାଉଛି। ଗୋଟିଏପଟେ ସରକାରୀ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବ ରହିଥିବା ବେଳେ ଅନ୍ୟପଟେ ନୂତନ ଶିକ୍ଷା ନୀତି ଲାଗୁ ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଚାପ ବଢ଼ିବାକୁ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସେପଟେ ଏନ୍‌ଇପି-୨୦୨୦ର କାର୍ଯ୍ୟକାରିତା ନେଇ ଚାଲିଥିବା ତିନିଦିନିଆ କର୍ମଶାଳାର ଶେଷ ଦିନରେ ଆଜି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଏନ୍‌ଇପିର ବିଭିନ୍ନ ଦିଗକୁ ନେଇ ୧୦ଟି ଗ୍ରୁପ୍‌ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟ, ମଧ୍ୟ ଓ ମାଧ୍ୟମିକ ପର୍ଯ୍ୟାୟ, ମାଧ୍ୟମିକ ପର୍ଯ୍ୟାୟ-୨, ମୂଲ୍ୟାଙ୍କନ ଓ ପରୀକ୍ଷା ସଂସ୍କାର, ଶିକ୍ଷକ ଶିକ୍ଷା ଓ ଶିକ୍ଷକ ବିକାଶ, ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ଶିକ୍ଷା, ବିଦ୍ୟାଳୟ ପରିଚାଳନା ଓ ଐତିହ୍ୟ, ରାଜ୍ୟ ପାଠ୍ୟକ୍ରମ ରୂପରେଖର ବିକାଶ ଓ ଡ୍ରପ୍‌ଆଉଟ୍ ହାର ହ୍ରାସ ନେଇ ବ୍ୟାପକ ବିଚାରବିମର୍ଶ କରାଯାଇଛି।

ରାଜ୍ୟରେ ଏନ୍‌ଇପି କାର୍ଯ୍ୟକାରୀ କରିବାକୁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଦଳଗତ ଉପସ୍ଥାପନାରୁ ତୃତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶେଷ ଦିନର ସମସ୍ତ ଦଶଟି ଦଳ ନିଜ ନିଜ ଉପସ୍ଥାପନ ମାଧ୍ୟମରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଆସନ୍ତା ଶିକ୍ଷାବର୍ଷରେ ଶିଶୁବାଟିକାର ପରିଚାଳନା, ପାଠ୍ୟପୁସ୍ତକର ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିସ୍ତାର କରିବା, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ଇଣ୍ଟରନେଟ୍ ସଂଯୋଗୀକରଣ ସମ୍ପର୍କରେ ଉପସ୍ଥାପନ ମାଧ୍ୟମରେ ଆଲୋଚନା କରାଯାଇଛି। ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟାୟ ପାଇଁ ଏକକ ରାଜ୍ୟ ପାଠ୍ୟକ୍ରମ ରୂପରେଖ ବିକାଶ ଉପରେ ସମସ୍ତେ ମତାମତ ରଖିଥିଲେ। ପ୍ରାଶାସନିକ ଅଧିକାରୀଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ, ନୂତନ ଶିକ୍ଷା ପ୍ରଣାଳୀ ବିଷୟରେ ଶିକ୍ଷକମାନଙ୍କୁ ସଚେତନ କରିବା ନେଇ ଗ୍ରୁପ୍‌ଗୁଡ଼ିକ ନିଜ ନିଜ ମତପ୍ରକାଶ କରିଛନ୍ତି।

Post Views5 Total Count

Apply Now


This will close in 0 seconds

error: Content is protected !!