ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିଏସ୍ କେୱାଇ ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି ।
ଇତି ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।
ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୯ ଟି ରାଜ୍ୟ ସ୍ଥିତ ପ୍ରମୁଖ ସହର ମାନଙ୍କରେ ଅବସ୍ଥିତ ୧୧୫ ଟି ସୁପର ସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍ ବିଏସ୍ କେୱାଇରେ ସାମିଲ ହୋଇଛନ୍ତି ।
ଏହି ସବୁ ରାଜ୍ୟରେ ବିଭିନ୍ନ କାରଣରୁ ଅସ୍ଥାୟୀଭାବେ ରହୁଥିବା ଓଡିଆ ଲୋକମାନେ ମାଗଣାରେ ଉଚ୍ଛମାନର ଚିକିତ୍ସା ସୁବିଧା ପାଇପାରୁଛନ୍ତି ।
ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ ସେବା ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଚିକିତ୍ସା ବାବଦରେ ସେମାନେ ଅନ୍ଲାଇନରେ ଦାଖଲ କରିଥିବା ବିଲ ଗୁଡିକର ସମୟାନୁବନ୍ଧିତ ପଇଠ ନିଶ୍ଚିତ କରାଇବା ପାଇଁ ଶ୍ରୀମତୀ ପଣ୍ଡିତ ସମିତିର ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ହସ୍ପିଟାଲ ସ୍ତରରେ ଆବଶ୍ୟକୀୟ ସୂଚନା ପ୍ରଦାନ, ଡାକ୍ତରଙ୍କ ସହ ଯୋଗାଯୋଗ, ଆଡମିସନ ଏବଂ ଚିକିତ୍ସା ପରେ ଡିସ୍ଚାର୍ଯ ଆଦି କାର୍ଯ୍ୟରେ ରୋଗୀମାନକୁ ପ୍ରତ୍ୟକ୍ଷ ସହଯୋଗ କରିବା କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୭୭୩ ସ୍ୱାସ୍ଥ୍ୟମିତ୍ର କର୍ମତତ୍ପର ଅଛନ୍ତି ।

