ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ମିଲେଟ୍ ଇନୋଭେସନ ଚ୍ୟାଲେଞ୍ଜର ବିଜେତା ଘୋଷଣା କରାଯାଇଛି। ପ୍ରଥମ ପୁରସ୍କାର ଜିତିଥିବା ମୁନିକୋ ଫୁଡ୍ସ ଚାଷୀମାନଙ୍କୁ ପ୍ରକ୍ରିୟାକରଣ ଓ ମୂଲ୍ୟ ଯୋଗ ଉପରେ ତାଲିମ ଦେଉଥିବା ବେଳେ ପାମ୍ପଡ଼, ଛତୁଆ, ଏନର୍ଜି ବାର୍, ହେଲ୍ଥ ଡ୍ରିଙ୍କ୍ ଆଦି କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଛି। ଏକେଏମ୍ ଟେକ୍ନୋଲୋଜି ଅମଳ ପରବର୍ତୀ ଏବଂ ବଜାର ସହାୟତା ପ୍ରଦାନ କରୁଛି।

ସେହିପରି ଚକୋଲାକା ମିଲେଟକୁ ବ୍ୟବହାର କରି ସ୍ବାସ୍ଥ୍ୟକର ଓ ସୁସ୍ବାଦୁ ଚକୋଲେଟ ପ୍ରସ୍ତୁତ କରୁଛି। ମୁନିକୋ ଫୁଡ୍ସ ଏହି ଚ୍ୟାଲେଞ୍ଜ୍ ଜିତିଥିବା ବେଳେ ଅନ୍ୟ ଦୁଇ ବିଜେତା ହେଉଛନ୍ତି ଏକେଏମ୍ ଟେକ୍ନୋଲୋଜି (ଗ୍ରୋଜିପ୍) ଓ ଚକୋଲାକା। ଚ୍ୟାଲେଞ୍ଜର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୩ ଲକ୍ଷ ଟଙ୍କା, ୨ ଲକ୍ଷ ଟଙ୍କା ଓ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ୪୧ଟି ଷ୍ଟାର୍ଟଅପ୍ ଭାଗ ନେଇଥିଲେ।

ସେମାନଙ୍କ ମଧ୍ୟରୁ ୧୦ଟି ଷ୍ଟାର୍ଟଅପ୍ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସି ନିଜ ଆଇଡିଆ ପିଚ୍ କରିବାର ସୁଯୋଗ ପାଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ବିଜେତା ଚୟନ କରାଯାଇଛି। ଏହି ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର ରାଏ କହିଛନ୍ତି ଯେ ରାଜ୍ୟର ଷ୍ଟାର୍ଟଅପଗୁଡ଼ିକ ପୁଷ୍ଟିଶସ୍ୟ କ୍ଷେତ୍ରରେ ବେଶ ସକ୍ରିୟ ରହିଛନ୍ତି।

