କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି। ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳରେ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଶ୍ରାବଣୀଙ୍କୁ ଅର୍ଥରାଶି ପୁରସ୍କାର ସହ ରୂପା ତାରକସି ଫଳକ, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନୀଲ କ୍ରିଷ୍ଣା ଶ୍ରାବଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କ୍ରୀଡ଼ା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ରାଜ୍ୟସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଥିଲେ। ଉତ୍ସବରେ ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ କହିଲେ ଯେ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ କିପରି ସଫଳତା ହାସଲ କରିହୁଏ, ଶ୍ରାବଣୀ ହିଁ ତାହାର ବଳିଷ୍ଠ ଉଦାହରଣ। ଏହି ଅବସରରେ ଶ୍ରାବଣୀଙ୍କ କୋଚ ନୀଳମାଧବ ଦେଓ ଏବଂ ଫିଜିଓ ଅର୍ଜିତା ଲେଙ୍କାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

