ଭୁବନେଶ୍ୱରରେ ୱାଟ୍କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ପାଣ୍ଡିଆନ ମତଦେବା ସହ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ପାଣ୍ଡିଆନ ୱାଟ୍କୋକୁ ନିର୍ଦ୍ଦେଶ ଦେଇଥିଲେ । ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ କାର୍ତ୍ତିକ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି । ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

