ଭୁବନେଶ୍ବର ଜୟଦେବ ବିହାର ନିକଟରେ ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିବା ସହ ୭ଟି ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର, ୧୦ଟି ନମୁନା ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ ଓ ୬ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଆରୋଗ୍ୟ ବାହିନୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜରେ କ୍ରୀଡା, ସ୍ବାସ୍ଥ୍ୟ, ଶିକ୍ଷା ଓ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଓଏମସି ସବୁବେଳେ ପ୍ରୟାସ ଜାରି ରଖିଛି। ନିଜର ନୂଆ କର୍ପୋରେଟ ଅଫିସ ପାଇଁ ଓଏମସିକୁ ଅଭିନନ୍ଦନ ଜଣାଇଛନ୍ତି।
୬ ଏକର ପରିମିତ ଜାଗାରେ ନିର୍ମିତ ଏହି ପ୍ଲାଟିନମ ରେଟେଡ୍ ଗ୍ରୀନ ବିଲ୍ଡିଂ ସହରର ଏକ ନୂତନ ଲ୍ୟାଣ୍ଡମାର୍କ ସାଜିବ । ଏହି ନୂଆ ବିଲ୍ଡିଂ ସହ ଏହାର ଡ୍ରିଲ କୋର ଲାଇବ୍ରେରୀ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର କୁର୍ମିତାର ଠାରେ ଥିବା ଓଏମସି କୁର୍ମିତାର ଲୌହ ଖଣି ନମୁନା ପ୍ରକ୍ରିୟା କରଣ କେନ୍ଦ୍ର ଓ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭିସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲାର ୩ଟି ସ୍ଥାନ ଶୁଆକାଟୀ, ବଡ଼ବିଲ ଓ ଦୈତାରୀ ଠାରେ OMC ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ୩ଟି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା ଜିଲ୍ଲାର OMC ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

