ଗୁଗଲ୍, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନି ସହ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି)ର ଏମ୍ଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ। ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ମନ୍ତ୍ରକୁ ଗ୍ରହଣ କରି ଆଗାମୀ ଦିନରେ ଭାରତ ଦ୍ରୁତ ଗତିିରେ ଆଗକୁ ବଢ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗୁରୁବାର ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ଭାରତର ଯୁବଶକ୍ତିଙ୍କୁ ଦକ୍ଷ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଏବଂ ଶିଳ୍ପ ଓ ଶିକ୍ଷା ସହଯୋଗିତାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦେଶବିଦେଶର ୧୫ଟି ଅଗ୍ରଣୀ ପ୍ରଯୁକ୍ତି କମ୍ପାନି ଗୁଗଲ, ମାଇକ୍ରୋସଫ୍ଟ. ଫ୍ଲିପକାର୍ଟ, ଟିମ୍ ଲିଜ୍, ଅପ୍ଗ୍ରେଡ୍, ରିଲାଏନ୍ସ ଫାଉଣ୍ଡେସନ, ହନିୱେଲ, ଇନୋଫୋସିସ୍ ସହ ଏନ୍ଏସ୍ଡିସିର ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି। ଦକ୍ଷତା ବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ ପଦକ୍ଷେପ ବିଷୟରେ ଆଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ପଦକ୍ଷେପ ଯେ କୌଣସି ସ୍ଥାନରେ, ଯେକୌଣସି ସମୟରେ ସମସ୍ତଙ୍କ ପାଇଁ ଦକ୍ଷତା ସୁନିଶ୍ଚିତ କରୁଛି।
ପ୍ରଯୁକ୍ତି, ଦକ୍ଷତା ଓ ସ୍ଥାୟିତ୍ବ ଉପରେ ଧ୍ୟାନ ଦେଇ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତୀୟ ଶ୍ରମଶକ୍ତି କେବଳ ଘରୋଇ ଚାହିଦା ନୁହେଁ ବରଂ ବିଶ୍ୱର ଚାହିଦାକୁ ପୂରଣ କରିବେ ଏବଂ ନୂତନ ମାପଦଣ୍ଡ ସ୍ଥାପନା କରିବେ ବୋଲି ସେ କହିଛନ୍ତି।
A

