ଓଡ଼ିଶା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ ଆରମ୍ଭ

ଚଳିତ ବର୍ଷ ଡିସେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଚତୁର୍ଥ ସଂସ୍କରଣ ଆୟୋଜନ କରାଯିବ। ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ଏହି ନିବେଶକ ସମ୍ମିଳନୀ ଆୟୋଜନ କରୁଛନ୍ତି। ପୂର୍ବ ସଂସ୍କରଣ ୨୦୨୨ରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ଆଗାମୀ ସଂସ୍କରଣ ଆୟୋଜନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।

ଆଜିଠାରୁ ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଦ୍ବିତୀୟ ଓଡ଼ିଶା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ ୨୦୨୪ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ରାଜ୍ୟକୁ ୨୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ସେଥିରୁ ୧୦.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି। ଡିସେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ପରବର୍ତ୍ତୀ ସଂସ୍କରଣ ସୁଦ୍ଧା କାର୍ଯ୍ୟକାରୀ ହେଉଥିବା ନିବେଶ ପରିମାଣ ୧୩-୧୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଆସନ୍ତା ୫ ବର୍ଷରେ ଓଡ଼ିଶା ଦେଶର ପ୍ରମୁଖ ଇସ୍ପାତ ଓ ଗ୍ରିନ୍ ଆମୋନିଆ ହବ୍ରେ ପରିଣତ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଏମ୍ଏସ୍ଏମ୍ଇ ନିର୍ଦ୍ଦେଶକ ପୱନ ଗୁପ୍ତା କହିଛନ୍ତି ଯେ ଏହି ଏକ୍ସପୋ ରାଜ୍ୟର ଖଣି କ୍ଷେତ୍ରର ଅଭିବୃଦ୍ଧି ଲାଗି ଲାଭଦାୟକ ହେବ। ଏଏମ୍ଏନ୍ଏସ୍ ଇଣ୍ଡିଆର ଖଣି ମୁଖ୍ୟ ଅମିତ ଦୁବେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ କମ୍ପାନିର ପ୍ରସ୍ତାବିତ ମେଗା ଇସ୍ପାତ କାରଖାନାର କାମ ଆରମ୍ଭ ହୋଇଛି। ଫ୍ୟୁଚରେକ୍ସ ଗ୍ରୁପ୍ର ଏମ୍ଡି ସ୍ବାମୀ ପ୍ରେମ ଅନଭେସ ଜୀ କହିଛନ୍ତି ଯେ ଏହି ଏକ୍ସପୋ ଶିଳ୍ପର ମୁଖିଆ ଓ ବିଶେଷଜ୍ଞମାନଙ୍କ ମଧ୍ୟରେ ସହଯୋଗିତା ଓ ପୁଞ୍ଜିନିବେଶ ଲାଗି ସୁଯୋଗ ପ୍ରଦାନ କରୁଛି। ଫ୍ୟୁଚରେକ୍ସ ଟ୍ରେଡ୍ ଫେୟାର ଆଣ୍ଡ୍ ଇଭେଣ୍ଟ୍ସ ପକ୍ଷରୁ ଆୟୋଜିତ ଏହି ଚାରିଦିନିଆ ଏକ୍ସପୋ ଚଳିତ ମାସ ୧୮ ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହା ଖୋଲାରହିବ।

ଏହି ଏକ୍ସପୋରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟ ଏବଂ ଜାପାନ, ୟୁରୋପ ଓ ସାର୍କ ଦେଶର ପ୍ରତିନିଧିମାନେ ଭାଗ ନେଇଛନ୍ତି। ଏହି ଅବସରରେ ଓସ୍ମିର ସଭାପତି ସାଲିନ ଅଗ୍ରୱାଲ୍, ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ସ୍ବପ୍ନଦତ୍ତ ମହାନ୍ତି, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରି ଇଣ୍ଟରନ୍ୟାସନାଲ୍ ୩୨୬୨ ଜୟଶ୍ରୀ ମହାନ୍ତି ଓ ପରିଚୟ ଫାଉଣ୍ଡେସନର ରୋଜାଲିନ ପାଟ୍ଟଶାଣୀ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!