ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍କିଆ ଥାନା ମୁଣ୍ଡାଆମ୍ବଠାରେ ନୂଆ ଖୋର୍ଦ୍ଧା ଫୁଡ୍ପାର୍କର ଶୁଭ ଉଦ୍ଘାଟନ କରିବା ସହିତ କଳାବତୀ ଶିଳ୍ପାଞ୍ଚଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଭୟ ପ୍ରକଳ୍ପରେ ପ୍ରାୟ ୧୯ଟି ଶିଳ୍ପ ସ୍ଥାପନ ହେବାକୁ ଥିବା ବେଳେ ୧୦ଟି ଶିଳ୍ପର କାମ ଆରମ୍ଭ ହୋଇଯାଇଛି। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକପ୍ଟର ଯୋଗେ ମୁଣ୍ଡାଆମ୍ବଠାରେ ପହଞ୍ଚି ଉଭୟ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ।
ଏ ପ୍ରକଳ୍ପ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳର ବହୁ ସଂଖକ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।ନେସ୍ଲେ, ପେପ୍ସି ଭଳି ମୋଟ୍ ୧୪ଟି କମ୍ପାନି ଫୁଡ୍ ପାର୍କରେ ନିଜର ଖାଦ୍ୟ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଯାଉଛନ୍ତି। କେବଳ ଖାଦ୍ୟ ଉତ୍ପାଦନ ୟୁନିଟ୍ ନୁହେଁ, ଏଠି ଏରୋସ୍ପେସ୍ ଓ ପ୍ରତିରକ୍ଷା ସହିତ ଜଡ଼ିତ ସାମଗ୍ରୀର କାରଖାନା; ପେପର ପ୍ୟାକିଂ ଓ ପ୍ଲାଷ୍ଟିକ୍ ପ୍ୟାକିଂ କାରଖାନା ବି ସ୍ଥାପନ ହେବ। ଏହି ଶିଳ୍ପ ତାଲିକାରେ ନେସ୍ଲେ ଇଣ୍ଡିଆ ଲିମିଟେଡ୍, ପେପ୍ସି କମ୍ପାନିର ବରୁଣ ବେଭରେଜ୍ ଲିମିଟେଡ୍, କିସ୍ଲେ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍, ଶିବଶକ୍ତି ପ୍ରୋସେସ୍ଡ୍ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍, ମା’ ତାରିଣୀ ରୋଲର୍ ଫ୍ଲୋର୍ ମିଲ୍ସ ଆଦି ଖାଦ୍ୟ ପ୍ରକ୍ରିୟାକରଣ କାରଖାନା; ଏରୋସ୍ପେସ୍ ଓ ପ୍ରତିରକ୍ଷା ସହିତ ଜଡ଼ିତ କାରଖାନା ଆନନ୍ଦରୋନ୍ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଖୋର୍ଦ୍ଧାରେ ସ୍ଥାପିତ ହେବାକୁ ଯାଉଛି।
ସେହିପରି ମେଟାଲ୍ ପ୍ୟାକିଂ ଉପରେ ଶ୍ରୀଜୟ ଫଏଲ୍ ଲିମିଟେଡ୍, ଆଇଡିଭିବି ରିସାଇକ୍ଲିଂ ଅପରେସନ୍ ପ୍ରାଇଭେଟ୍ ଲିମିଟେଡ୍, ରାଜଶ୍ରୀ ପଲିପ୍ୟାକ୍ ଲିମିଟେଡ୍, ଇଣ୍ଡୋପେଟ୍ ପଲିପ୍ଲାଷ୍ଟ ପ୍ରାଇଭେଟ୍ ଲିମିଟେଡ୍, ଶ୍ରୀଚକ୍ର ପଲିପ୍ଲାଷ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ସୁରକ୍ଷା ପ୍ୟାକର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ନାରାୟଣୀ ଗ୍ରିନ୍ ପ୍ୟାକ୍ ଆଦି ପେପର ପ୍ୟାକିଂ କାରଖାନା ନାଁ ରହିଛି। ସେହିଭଳି କଳାବତୀ ଶିଳ୍ପାଞ୍ଚଳରେ ୫ଟି ବଡ଼ କାରଖାନା ହେବାକୁ ଯାଉଛି।

