`ହେବନି ହାଇକୋର୍ଟ ବେଞ୍ଚ’

ସାଧାରଣ ନିର୍ବାଚନ ଆଉ କିଛି ମାସ ବାକି ଥିଲା ବେଳେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ପୁଣି ଉଜ୍ଜୀବିତ ହୋଇଛି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଏକ ମନ୍ତବ୍ୟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ମନ୍ତ୍ରୀଙ୍କ ମନ୍ତବ୍ୟକୁ କିଛି ଗଣମାଧ୍ୟମ ଭୁଲ୍ ଭାବେ ଉପସ୍ଥାପନ କରି ଅଯଥା ବିବାଦ ସୃଷ୍ଟି କରୁଛନ୍ତି ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହା ସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗର ଘଟଣାକ୍ରମ ବି ସେଥିରେ ଉଲ୍ଲେଖ କରାଯାଇ ରାଜ୍ୟ ସରକାରଙ୍କୁ ଦୋଷ ଠେଲାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଭୁବନେଶ୍ବରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପଚାରିଥିଲେ। ମନ୍ତ୍ରୀ କହିଥିଲେ, ହାଇକୋର୍ଟ ବେଞ୍ଚ ପାଇଁ ସଂପୃକ୍ତ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇବା ଆବଶ୍ୟକ। ସେଥିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହମତି ମଧ୍ୟ ଆବଶ୍ୟକ। ତେବେ ହାଇକୋର୍ଟ ବେଞ୍ଚ ସହ କେନ୍ଦ୍ର ସରକାର ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ ଭର୍ଚୁଆଲ୍ ସୁବିଧା ଉପଲବ୍ଧ ହେଉଛି। ଇ-କୋର୍ଟ କାମ ଓଡ଼ିଶାରେ ବହୁତ ଭଲ ଚାଲିଛି। ଯେହେତୁ ଇ-କୋର୍ଟରେ ହାଇକୋର୍ଟର ସବୁ ସୁବିଧା ଉପଲବ୍ଧ ହେଉଛି, ତେଣୁ ହାଇକୋର୍ଟ ବେଞ୍ଚ ଦାବି ଆଉ ଆଗାମୀ ଦିନରେ ରହିବନି।

କେନ୍ଦ୍ର ମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବନି ବୋଲି କହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଦିନତମାମ ଖବର ପ୍ରସାରଣ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ବିଜେପି ବି ଅକଳରେ ପଡ଼ିଯାଇଥିଲା। ସନ୍ଧ୍ୟାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୦୧୮ ସେପ୍ଟମ୍ବର ୫ ଓ ୨୦୧୯ ଜାନୁଆରି ୧୧ରେ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଚିଠି ଲେଖିଥିଲେ। ୨୦୧୯ ଜାନୁଆରି ୧୨ ତାରିଖରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଲେଖିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ମତ ଓ ବେଞ୍ଚ କେଉଁ ଜାଗାରେ ପ୍ରତିଷ୍ଠା ହେବ, ତାହାର ତଥ୍ୟ ସହ ପୂର୍ଣ୍ଣାଙ୍ଗ ରିପୋର୍ଟ ପଠାଇବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଏ ଦିଗରେ ଆଉ କୌଣସି ଉଦ୍ୟମ ନକରି ନିରବ ହୋଇଯାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ରାଜ୍ୟ ସରକାରଙ୍କର କୌଣସି ଆଗ୍ରହ ନାହିଁ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରକ୍ରିୟାରେ ସମୟ ଲାଗୁଥିବା ବେଳେ ଭାରତ ସରକାରଙ୍କ ଇ-‌କୋର୍ଟ ପ୍ରୋଜେକ୍ଟ ଅଧୀନରେ ସ୍ଥାପିତ ହାଇକୋର୍ଟର ଭର୍ଚୁଆଲ୍‌ ସେଣ୍ଟର୍‌ଗୁଡ଼ିକ ଇ-ଫାଇଲିଂ, ଇ-ପେମେଣ୍ଟ୍‌ ଓ ଭର୍ଚୁଆଲ୍‌ ଶୁଣାଣି କରି ସମସ୍ତଙ୍କ ଆବେଦନକାରୀ ଓ ଆଇନଜୀବୀମାନଙ୍କୁ ହାଇକୋର୍ଟରେ ସିଧାସଳଖ ପ୍ରବେଶ ସୁବିଧା ଯୋଗାଇ ଦେଉଛି। ଓଡ଼ିଶା ହାଇକୋର୍ଟ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୩୦ଟି ଭର୍ଚୁଆଲ୍‌ ସେଣ୍ଟର୍‌ ଚଳାଉଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର ସରକାର ନିଶ୍ଚିତ ବିଚାର କରିବେ। କିନ୍ତୁ ଓଡ଼ିଶା ସରକାର ପଛୁଘୁଞ୍ଚା ଦେଉଛନ୍ତି। ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପାଇଁ ସିଆର୍ ପାଲ୍ କମିସନ୍ ଗଠନ କରିଥିଲେ। ୨୦୧୪ ମାର୍ଚ୍ଚ ୩୧ ତାରିଖରେ କମିସନ୍ ସରକାରଙ୍କୁ ରିପୋର୍ଟ ଦେଇଥିଲେ। କିନ୍ତୁ ଏହା ଏ ଯାଏ ସାର୍ବଜନୀନ ହୋଇନି।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!