ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ଟି ପ୍ରସ୍ତାବରେ ମୋହର ବାଜିଛି । ରାଜସ୍ବ, କୃଷି ଓ ଆଇଟିରେ ମୋଟ ୩ଟି ପ୍ରସ୍ତାବରେ ମୋହର ଲାଗିଛି । ବହୁଚର୍ଚ୍ଚିତ ଆଦିବାସୀ ଜମି ବିକ୍ରି ନିୟମ ପ୍ରତ୍ୟାହାର କରିଛନ୍ତି ସରକାର । ପ୍ରତ୍ୟାହାର ନିଷ୍ପତ୍ତିକୁ କ୍ୟାବିନେଟ ମୋହର ବାଜିଥିବା ସୂଚନା ମିଳିଛି । କ୍ୟାବିନେଟର ପୂର୍ବ ନିଷ୍ପତ୍ତିକୁ ଅଧିକ ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ ଗତ ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ। ଏହାସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ଆଇନରେ ସଂଶୋଧନ ହୋଇଥାଆନ୍ତା। ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା।


