କେନ୍ଦୁଝର ଶିକ୍ଷା ବିପ୍ଳବର ସାରଥି ସିଟିଜି

ଶ୍ରେଣୀ କକ୍ଷରୁ ହିଁ ଏକ ରାଷ୍ଟ୍ରର ଭାଗ୍ୟନିର୍ଦ୍ଧାରଣ କରାଯାଏ । ଶିକ୍ଷା ମଣିଷର ଜୀବନକୁ ଅଗ୍ରଗତି କରିଥାଏ । ଏକ ଅଞ୍ଚଳର ସାମାଜିକ, ଆର୍ଥିକ ଓ ସାମଗ୍ରିକ ବିକାଶ ପାଇଁ ଶିକ୍ଷା ନିତାନ୍ତ ଆବଶ୍ୟକ । ବିକାଶର ଏ ଗୁଢ ତତ୍ତ୍ୱକୁ ୨୩ ବର୍ଷ ତଳେ ହୃଦୟଙ୍ଗମ କରିଥିଲେ ଡ. ରାଜେନ୍ଦ୍ର କୁମାର ପଲେଇ । କେନ୍ଦୁଝର ଭଳି ଏକ ଆଦିବାସୀଅଧ୍ୟୁଷିତ ଓ ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଆଗେଇ ଆସିଥିଲେ ରାଜେନ୍ଦ୍ର । ରାଜେନ୍ଦ୍ରଙ୍କ ସେଦିନର ସମାଜ ପାଇଁ ସମର୍ପିତ ଭାବ ଓ ନିଷ୍ଠାପର ଉଦ୍ୟମ ଆଜି ଛୁଇଁଛି ସଫଳତାର ଗିରିଶୃଙ୍ଗ । କେନ୍ଦୁଝରର ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିଛି ରାଜେନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସିଟିଜି ଫାଉଣ୍ଡେସନ୍ । ସ୍ୱପ୍ନ ଓ ସମ୍ଭାବନାକୁ ପୁଞ୍ଜିକରି ଜନ୍ମନେଇଥିବା ସିଟିଜି ଅନେକ ବାଧାବିଘ୍ନ ଓ ସଂଘର୍ଷ ସାଥିରେ ଚାଲି ସଫଳତାର ଶୀର୍ଷ ଛୁଇଁବା ସହ ଆଜି ୨୩ ବର୍ଷ ପୂରା କରିଛି ।
ଡ. ରାଜେନ୍ଦ୍ର କୁମାର ପଲେଇ । ସଭିଙ୍କର ଛୋଟୁ ସାର୍ । ଯେତେବେଳେ ଦାରିଦ୍ର‌୍ୟତା ସହ କେନ୍ଦୁଝର ଲଢେଇ କରୁଥିଲା । ପେଟକୁ ଦାନା, ଶରୀରକୁ କନା ଖଣ୍ଡେ ପାଇଁ ସଂଘର୍ଷ କରୁଥିଲା । ସେତେବେଳେ ଶିକ୍ଷାକୁ ଆପଣାଇ ସମୃଦ୍ଧିର ଏକ ନୂଆ ଅଧ୍ୟାୟ ଲେଖିଥିଲେ ରାଜେନ୍ଦ୍ର । ଶିକ୍ଷାକୁ ସାଥି କରି ଲୋକଙ୍କ ଜୀବନରେଖା ବଦଳାଇବାକୁ ଗୁଣ୍ଡୁଚି ଭଳି ଛୋଟିଆ ପ୍ରୟାସଟିଏ କରିଥିଲେ । ୩୦ ଟଙ୍କାକୁ ପୁଞ୍ଜି କରି ବିରାଟ ସ୍ୱପ୍ନ ଦେଖିଥିଲେ ରାଜେନ୍ଦ୍ର । ଆଦିବାସୀ ଇଲାକାରେ ଶିକ୍ଷାରେ ବିପ୍ଳବ ଆଣିବାର ଲକ୍ଷ୍ୟ ନେଇ ନୂଆ ପଥରେ ପାଦ ବଢାଇଥିଲେ । ୫ ଜଣ ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ଟିଉସନ୍ । ବର୍ଷ ଯେତିକି ଗଡିଥିଲା ରାଜେନ୍ଦ୍ର ସେତିକି ସଫଳତାର ପାହାଚ ଅତିକ୍ରମ କରିଥିଲେ । ଉନ୍ନତମାନର ଶିକ୍ଷାଦାନ ଓ ବୈପ୍ଳବିକ ମନୋଭାବ ଖାଲି ଜିଲ୍ଲାର ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ଆଣିନଥିଲା । ବରଂ ପିଲାଙ୍କର ଉଜ୍ୱଳ ଭବିଷ୍ୟତକୁ ମଧ୍ୟ ଗଢିଥିଲା । କାଳକ୍ରମେ ସେହି ଛୋଟୁ ଟ୍ୟୁଟୋରିଆଲ ଆଜି ସିଟିଜି ଗ୍ରୁପରେ ପରିଣତ ହୋଇଛିି । ରାଜେନ୍ଦ୍ରଙ୍କ ସ୍ୱପ୍ନ ବାସ୍ତବତାର ରୂପ ନେଇଛି ।


କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ଏକଥାର ସବୁଠାରୁ ବଡ ଉଦାହରଣ ଓ ପ୍ରେରଣା ହେଉଛନ୍ତି ରାଜେନ୍ଦ୍ର । ଅନୁଷ୍ଠାନଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଛୋଟୁ ସାରଙ୍କର ସଂଘର୍ଷ ଆଜି ସଭିଏଁ ସ୍ୱୀକାର କରୁଛନ୍ତି । ପିଲାମାନଙ୍କ ଉଚ୍ଛାଭିଳାସ, ସ୍ୱପ୍ନ ଓ ଲକ୍ଷ୍ୟପଥକୁ ପୂରଣ କରିବାରେ ଛୋଟୁ ସାରଙ୍କ ଅବଦାନ ସଭିଙ୍କ ପାଇଁ ପ୍ରେରଣାଦାୟୀ । ଆଖି ଖୋଲି ସ୍ୱପ୍ନ ଦେଖିବାକୁ ରାଜେନ୍ଦ୍ର ଯୋଗାଇଥିବା ବଳ ଆଜି ଅନେକ ଯୁବକଙ୍କୁ ପରିଚୟ ଦେଇଛି । ୨୩ ବର୍ଷରେ ତଳେ ତୃଣ ଭଳି ଜନ୍ମଲାଭ କରିଥିବା ଅନୁଷ୍ଠାନଟି ଆଜି ମହାଦ୍ରୁମରେ ପରିଣତ ହୋଇଛି । ଛୋଟଛୁଆରୁ ଯୁବକରେ ପରିଣତ ହୋଇଛି ସିଟିଜି ।
ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିର ୨୩ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର ଉପକଣ୍ଠ ବାଇଗଣପଶିରେ ମଙ୍ଗଳବାର ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ ହୋଇଛି । ସିଟିଜିର ପ୍ରତିଷ୍ଠାତା ଡ. ରାଜେନ୍ଦ୍ର କୁମାର ପଲେଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ । ସମାଜରେ ଅନେକ ଜ୍ଞାନୀଗୁଣୀ ଲୋକ ଅଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ରାଜେନ୍ଦ୍ର ଜଣେ ଭଲ ମଣିଷ ବୋଲି ସେ ଅବିହୀତ କରିଥିଲେ । ଏହି ଅବସରରେ ଇଣ୍ଟରଭ୍ୟୁର ପ୍ରତିଷ୍ଠାତା ଦିବ୍ୟଜ୍ୟୋତି ସାହୁଙ୍କୁ ସିଟିଜି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗଣାମାଧ୍ୟମ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସମସ୍ତ ଅତିଥିବୃନ୍ଦ ସିଟିଜିର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ସେଠାରୁ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନେ ଅନୁଷ୍ଠାନର ଗୁଣଗାନ କରିଥିଲେ ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!