ଆକାଶ ଦାସନାୟକ: ଅଭିନୟରୁ ରାଜନୀତି, ସବୁଥିରେ ଆଇକନ

ରିଲରେ ସିଏ ସୁପରଷ୍ଟାର ଆଉ ରିଅଲରେ ସୁପରମ୍ୟାନ । ପଲିଟିକ୍ସରେ ସକସେସର ଆଉ ସମାଜସେବାରେ ବ୍ରାଣ୍ଡଆମ୍ବାସଡର । କେବେ ସଫଳତାର ଉଦାହରଣ ତ ଆଉ କେବେ ଯୁବପିଢିଙ୍କ ପାଇଁ ଆଇକନ । ସିନେମାରୁ ରାଜନୀତି, ବ୍ୟକ୍ତିଗତ ଜୀବନରୁ ସମାଜସେବା । ସମାଜର ପ୍ରତିଟି ଦିଗରେ ଜଣେ ସଫଳ ଓ ପ୍ରେରଣାଦାୟୀ ମଣିଷ ହେଲେ ଆକାଶ ଦାସ ନାୟକ । ଓଲିଉଡ ଦୁନିଆର ସୁପରଷ୍ଟାର ତଥା କୋରେଇର ପୂର୍ବତନ ବିଧାକ ଏବଂ ଓଡ଼ିଶା ସରକାରଙ୍କ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ।

ଅଭିନୟର ଶିଢି ଚଢୁଚଢୁ ସମାଜସେବାର ନିଶାଯେ ରାଜନୀତିର ପଥକୁ ଉନ୍ମୁକ୍ତ କରିଦେବ ସେଦିନ ଆକାଶ ମଧ୍ୟ ଏକଥା ଭାବିପାରିନଥିଲେ । ସିନେମା ଜଗତରେ ଅକୁଣ୍ଠ ଭଲପାଇବା ଓ ଇର୍ଷଣୀୟ ସଫଳଥା ରାଜନୀତିର ମଇଦାନରେ ଯେ ପ୍ରତିଫଳିତ ହେବ ଏକଥା ମଧ୍ୟ ଆକାଶଙ୍କ କଳ୍ପନା ବାହାରେ ଥିଲା । ହେଲେ ଲୋକଙ୍କ ପ୍ରତି କାମ କରିବାର ନିଶା ଏବଂ ଜନସାଧାରଣଙ୍କ ଭଲପାଇବା ତାଙ୍କ ଜୀବନକୁ ଦେଇଥିଲା ନୂଆ ମୋଡ଼ । ଫିଲ୍ମ ଜଗତରୁ ପଟିଲିକ୍ଟରେ ପାଦଦେଇ ଆକାଶ ବନିଯାଇଥିଲେ ବିଧାୟକ । ପ୍ରଥମ ପ୍ରତିଦନ୍ବନ୍ଦ୍ବୀତାରେ ଲୋକଙ୍କ ଭରସା ଜିତି ବିଜୟ ହେବାର ଗୌରବ ଯେଉଁ ହାତଗଣତି ନେତାଙ୍କ ଭାଗ୍ୟରେ ଲେଖାଥାଏ ସେମାନଙ୍କ ମଧ୍ୟରେ ଆକାଶ ହେଉଛନ୍ତି ଅନ୍ୟତମ । 2014ରେ ଯାଜପୁର ଜିଲ୍ଲା କୋରେଇ ମାଟିରୁ ବିଜୁ ଜନତା ଦଳ ଟିକେଟରେ ବିଜୟୀ ହୋଇ ଆକାଶ ଦେଖାଇଦେଇଥିଲେ ତାଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା । 2019 ମସିହାରୁ ଦଳରେ ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ଗୁରୁଦାୟିତ୍ବ ନିଭାଇବା ସହ ଏବେ ନବୀନ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ କଲେଜର ଅଧ୍ୟକ୍ଷ ଭାବେ କ୍ୟାବିନେଟ ପାହ୍ୟା ସହ ଦାୟିତ୍ବ ତୁଲାଉଛନ୍ତି ଆକାଶ ।

କୁହାଯାଏ ବିଧାତା ହିଁ କପାଳରେ ଭବିଷ୍ୟତ ଲେଖି ଧରାପୃଷ୍ଠକୁ ପଠାଇଥାନ୍ତି । ଠିକ ସେମିତି କିଛି ଘଟିଥିଲା ଆକାଶଙ୍କ ଜୀବନରେ । ୧୯୮୧ ମସିହା ସେପ୍ଟେମ୍ବର ୧୭ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମ ହୋଇଥିଲେ ଆକାଶ । ଆକାଶଙ୍କ ବାପା ମାୟାଧର ନାୟକ ଥିଲେ ଶ୍ରମିକ ନେତା  ଓ ମା’ ଇନ୍ଦିରା ଦାସ ଥିଲେ ଜଣେ ଶିକ୍ଷୟିତ୍ରୀ । ପିଲାଟି ବେଳୁ ଆକାଶ ଥିଲେ ବେଶ୍ ଲାଜକୁଳା ଓ ଚୁପଚାପ ସ୍ବଭାବର । କେହି କେବେ ଭାବି ନଥିଲେ ସେ ଦିନେ ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ପାଲଟିଯିବେ । ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ସେ ସ୍ନାତକ ହାସଲ କରିଥିଲେ । ଏହାପରେ ସାମ୍ବାଦିକତା ପଢ଼ିବା ପାଇଁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ପଢ଼ିଲା ବେଳେ ଆକାଶଙ୍କ ମନରେ ଅଭିନୟ କରିବାର ଇଚ୍ଛା ଜାଗ୍ରତ ହୋଇଥିଲା । ତେଣୁ ଓଡ଼ିଶା ଆସିବା ପରେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ରେ ସେ ଯୋଗ ଦେଲେ ।  ମଞ୍ଚରେ ଅଭିନୟ କରୁ କରୁ ମ୍ୟୁଜିକ ଆଲବମରେ ଅଭିନୟ କରିବାର ସୁଯୋଗ ମିଳିଲା। ଆକାଶଙ୍କର କିଛି ସୁପରହିଟ୍ ଆଲବମ୍ ମଧ୍ୟରେ ରହିଛି ମୋନାଲିସ, ସଞ୍ଜ ନଇଁ ଗଲେ, ଚିଠି ମୋର ଟିକି ଚଢ଼େଇ ଆଦି । ଛୋଟ ପରଦାରେ କିଛି କାମ କରିବା ପରେ ପ୍ରଯୋଜକ ଦେବାନନ୍ଦ ପଣ୍ଡା ଓ ନିର୍ଦ୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀଙ୍କ ନୂଆ ଚଳଚ୍ଚିତ୍ର କଳିଙ୍ଗ ପୁତ୍ର ରେ ଆକାଶଙ୍କୁ ନାୟକ ହେବାର ସୁଯୋଗ ମିଳିଲା । ସେହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଓଲିଉଡର ଆକ୍ସନ ବୟ ଭାବେ ପରିଚିତ ଆକାଶ ଦାସନାୟକ । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘କଳିଙ୍ଗପୁତ୍ର’ ଜରିଆରେ ନାୟକ ଭାବେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ।  କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ ଏକାଧିକ ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କ ଓଡ଼ିଆ ଫିଲ୍ମ ମଧ୍ୟରେ ରହିଛି, ଶପଥ, ରାଜୁ ଆୱାରା, ଆସିବୁ କେବେ ସାଜି ମୋ ରାଣି, ଆଲୋ ମୋର କଣ୍ଢେଇ, ଶୁଭ ବିବାହ, ଶତୃ ଶଂହାର, ସତ୍ୟମେବ ଜୟତେ, କଳିଙ୍ଗ ପୁତ୍ର ।

ଅଭିନୟକୁ ପେଶା କରିଥିଲେ ମଧ୍ୟ ଆକାଶର ନିଶା ଥିଲା ସମାଜସେବା । ପିଲାଟିଦିନରେ ବାପାମାଆଙ୍କ ଆଦର୍ଶରେ ଅନୁପ୍ରାଣୀତ ଆକାଶ ସମାଜସେବାରେ ସବୁବେଳେ ବ୍ରତୀ ରହୁଥିଲେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଉପରେ ଆସ୍ଥାପ୍ରକଟ କରିଥିଲେ । 2019ରେ ସେ ବିଜେଡି ଟିକେଟରେ ବିଜୟୀ ହୋଇ ପ୍ରଥମ ଥର କରି ବିଧାନସଭା ଆସିଥିଲେ । ବର୍ତ୍ତମାନେ ମୋ କଲେଜର ଅଧ୍ୟକ୍ଷଭାବେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନୂତନ ସ୍ତରକୁ ନେବାରେ ଆକାଶଙ୍କ ଭୂମିକା ଉଲ୍ଲେଖନୀୟ ।  ଏହାଛଡ଼ା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଉଛନ୍ତି ଆକାଶ ଦାସନାୟକ । ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି । ଆକାଶଙ୍କର ମିଶନ୍ ସବୁଜ କୋରେଇ ଅଭିଯାନ ସାରା ରାଜ୍ୟକୁ ପ୍ରଭାବିତ କରିଛି  । ସବୁଜ କୋରେଇ ମାଧ୍ୟମରେ ଆଗାମୀ ୫ବର୍ଷ ମଧ୍ୟରେ ପାଖାପାଖି ୩୦ଲକ୍ଷ ଗଛ ଲଗାଇବା ପାଇଁ ଶ୍ରୀଯୁକ୍ତ ଆକାଶ ଦାସନାୟକ ଲକ୍ଷ୍ୟ ରଖିଛନ୍ତି । ସିନେମାରେ ଲମ୍ବା ଇନିଂସ ପରେ ରାଜନୀତିରେ ପାଦ ପକାଇ ସଫଳ ହୋଇଛନ୍ତି ଆକାଶ । ଆଗକୁ ତାଙ୍କ ସଫଳତାର ଧାରା ଏମିତି ଜାରି ରହୁ ବୋଲି ଆମେ କାମନା କରୁଛୁ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!