ଶିଳ୍ପ ହବ୍ ହେବ ପଶ୍ଚିମ ଓଡ଼ିଶା । ଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଆସିବ ଅଧିକ ପୁଞ୍ଜି, ସ୍ବଚ୍ଛଳ ହେବ ଅର୍ଥନୀତି । ଭୁବନେଶ୍ବର ପରେ ଝାରସୁଗୁଡ଼ାରେ ହୋଇଛି ଶିଳ୍ପପତିଙ୍କ ସମାଗମ । ଗୋଟିଏ ମଞ୍ଚରେ ଯୋଗ ଦେଇଛନ୍ତି ଶିଳ୍ପ ଜଗତର ବଡ଼ ବଡ଼ ହସ୍ତୀ । ଆଜିଠୁ ଝାରସୁଗୁଡାରେ ଆରମ୍ଭ ହୋଇଛି ତିନି ଦିନିଆ ଶିଳ୍ପ ସମ୍ମିଳନୀ । ଯେଉଁଥିରେ ଦେଶ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର ସିଇଓ ଓ ସିଓଓ ସାମିଲ ହୋଇଛନ୍ତି । ବେଦାନ୍ତ, ଜେଏସଡବ୍ଲୁ, ଏପସିଲନ ସହ ଅନେକ କଂପାନୀ ନିଜର ଷ୍ଟଲ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାରେ ନିଜର ଶିଳ୍ପ ପ୍ରତିଷ୍ଠା ପାଇଁ ୧୧ଟି କମ୍ପାନୀ ସ୍ବାକ୍ଷରିତ କରିଛନ୍ତି ଏମଓୟୁ । ୨୩ ହଜାର ୩୮୯ କୋଟିରୁ ଅଧିକ ଟଙ୍କାର ଅର୍ଥ ବିନିଯୋଗ କରିବେ ଏହି ସଂସ୍ଥା । ଯାହାଦ୍ବାରା ୧୫ ହଜାର ୧୬୮ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ଖାଲି ଉପକୂଳ ନୁହେଁ, ଏବେ ପଶ୍ଚିମ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଜଳସେଚନ ସୁବିଧା ନଥିବା ବେଳେ, ଏବେ ସହଜ ହୋଇଛି ଜଳସେଚନ ସୁବିଧା । ତେଣୁ କୃଷି ଶିଳ୍ପକୁ ଅଗ୍ରାଧିକାର ଦେବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିଭଳି ଅଧିକରୁ ଅଧିକ କୃଷି ଜାତ ଦ୍ରବ୍ୟ ଉତ୍ପାଦନ ହୋଇପାରିବ ଓ ଏହାର ବିକ୍ରି ହୋଇପାରିବ ସେଥିପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି । ସେହିପରି ସବସିଡ୍ ସାଙ୍ଗକୁ ଷ୍ଟାର୍ଟ ଅପ୍ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାଦ୍ବାରା ସ୍ଥାନୀୟ ଯୁବକଙ୍କୁ ଅଧିକ ନିଯୁକ୍ତ ସୁଯୋଗ ମିଳିବ ବୋଲି କହିଛନତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପଶ୍ଚିମ ଓଡ଼ିଶାର ଶିଳ୍ପ କେନ୍ଦ୍ର ହେଉଛି ଝାରସୁଗୁଡ଼ା । ସ୍ଥାନୀୟ ଅଞ୍ଚଳରେ ଶିଳ୍ପର ବିକାଶ ଲାଗି ଯାହା ଆବଶ୍ୟକ, ତାହା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏ ଅଞ୍ଚଳରେ ଜମିକୁ ପାଣି ସହ ଗମନାଗମନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ବିକାଶରେ ସାଥ୍ ଦେଉଛି ବିଜୁ ଇକୋନୋମିକ୍ କରିଡର । ତେଣୁ ଯେଉଁମାନେ ଶିଳ୍ପ ପାଇଁ ଆଗ୍ରହୀ ହେଉଛନ୍ତି ସେମାନଙ୍କୁ ୩୦ ପ୍ରତିଶତ ସବସିଡ୍ ଯୋଗାଇ ଦିଆଯାଉଛି । କେବଳ ବଡ଼ ଶିଳ୍ପ ହେଲେ ଅଞ୍ଚଳର ବିକାଶ ହେବ ତାହା ନୁହେଁ ବରଂ ଛୋଟ ଛୋଟ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଅଣୁ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେଲେ ବଡ଼ ବଡ଼ ଶିଳ୍ପକୁ ଫାଇଦା ମିଳିବ ବୋଲି କହିଛନ୍ତି ପା୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । ଏହାସହ ଦକ୍ଷତା ବିକାଶ ଓ ମହିଳାଙ୍କୁ କିପରି ଆଗକୁ ନିଆଯାଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ସବୁ କ୍ଷେତ୍ରରେ ଏବେ ଆଗଉଛି ଝାରସୁଗୁଡ଼ା । ଦେଶର ବିକାଶର ଇଞ୍ଜିନ ପାଲଟିଛି ଝାରସୁଗୁଡ଼ା । କିଭଳି ସ୍ଥାନୀୟ ଅଞ୍ଚଳର ଅଧିକ ଉନନତି ହୋଇପାରିବ ସେନେଇ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ସମ୍ମିଳନୀ ।



