ଦି ସାଇଲେଣ୍ଟ ପଲିଟିକ୍ସିଆନ

ଦଳ ପାଇଁ ସେ ଆସେଟ୍ ଆଉ ବିରୋଧୀଙ୍କ ପାଇଁ ସାଇଲେଣ୍ଟ କୋବ୍ରା । କମ୍ କୁହନ୍ତି, କାମ ଅଧିକା କରନ୍ତି । ଜେଣ୍ଟିଲମ୍ୟାନ ପଲିଟିକ୍ସିଆନ, ମାର୍ଜିତ ବ୍ୟକ୍ତିତ୍ବ । ତାଙ୍କ ତଥ୍ୟଭିତ୍ତିକ ଯୁକ୍ତି ଆଗରେ ସରକାର ବି ହୁଏ ଥରହର । ରାଜନୀତିର ସିଷ୍ଟାଚାର, ଶାଳୀନତା ଓ ନୀତିନୈତିକତାକୁ ପାଥେଇ କରି ଲୋକଙ୍କ ସେବା ପାଇଁ ଅଙ୍ଗିକାରବଦ୍ଧ ହୋଇଥିବା ଓଡିଶାର ଟାଣୁଆ କଂଗ୍ରେସ ନେତା ତଥା ଓଡିଶା ପ୍ରଦେଶ ପିସିସି ସଭାପତି ଶରତ ପଟ୍ଟନାୟକ । ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା ଶରତ ଖାଲି ରାଜ୍ୟରେ ନୁହେଁ ହାଇକମାଣ୍ଡଙ୍କ ଗୁଡ୍ ବୁକରେ ମଧ୍ୟ ରହି ନିଜ ଦକ୍ଷତା ଓ ରାଜନୈତିକ ଗୋଟିଚାଳନାର ସିଦ୍ଧହସ୍ତତା ସମ୍ପର୍କରେ ପ୍ରମାଣ ଦେଇସାରିଛନ୍ତି ।

ଶରତ ପଟ୍ଟନାୟକ । ଓଡିଶାର ଜଣେ ଭଦ୍ର ଓ ନମ୍ର ରାଜନେତା ଭାବେ ସାରା ରାଜ୍ୟ ଓ ଦେଶରେ ଜଣାଶୁଣା । ଛାତ୍ରଜୀବନରୁ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିରେ ପାଦ ଦେଇଥିଲେ ଶରତ । କଂଗ୍ରେସ ଦଳ ପ୍ରତି ଭଲପାଇବା ଓ ଆନୁଗତ୍ୟ ତଥା ଲୋକଙ୍କ ସେବାରେ ସମର୍ପିତ ହୋଇ ତିନି ଦଶନ୍ଧିରୁ ଅଧିକ ସମୟ ଓଡିଶା ରାଜନୀତିରେ ସେ ପାଲଟିଛନ୍ତି ଏକ ଚର୍ଚ୍ଚିତ ଚେହେରା । ପୂର୍ବରୁ ବଲାଙ୍ଗୀରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ଦୁଇଥର ସଂସଦରେ ସେ ପ୍ରତିନିଧିତ୍ବ କରିଛନ୍ତି । ୧୯୯୧ ଆଉ ୧୯୯୬ରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଶରତ ପଟ୍ଟନାୟକ । ଏହାଛଡା କଂଗ୍ରେସର ଦୟନୀୟ ସ୍ଥିତି ସମୟରେ ପିସିସି ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ୨୦୦୧ରୁ ୨୦୦୪ ଯାଏଁ ପିସିସି ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ଶରତ । ଶରତଙ୍କ ନେତୃତ୍ବରେ କଂଗ୍ରେସ ୨୦୦୪ରେ ଅସ୍ଥିତ୍ବ ବଞ୍ଚାଇବା ସହ ସଫଳତା ଲାଭ କରିଥିଲା । ସେତେବଳେ ବିଜେଡି ଓ ବିଜେପି ମେଣ୍ଟକୁ ଟକ୍କର ଦେଇ ଦଳ ଏକାକି 38ଟି ସିଟ୍ ଦଖଲ କରିବାରେ ସଫଳ ହୋଇଥିଲା । ଶରତଙ୍କ ସ୍ବତନ୍ତ୍ର ରଣନୀତି କାଳେ ଦଳକୁ ଅଧିକ ସଫଳତା ଦେଇଥିବା ଚର୍ଚ୍ଚା ହୁଏ ।

18 ବର୍ଷ ପରେ ଏବେ ପୁଣିଥରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ଦାୟିତ୍ବ ତୁଲାଉଛନ୍ତି । ଚର୍ଚ୍ଚା ଓ ଲବି ଭିତରେ ନଥାଇ ମଧ୍ୟ ଶରତଙ୍କୁ ଅଚାନକ ଭାବେ ହାଇକମାଣ୍ଡ ପିସିସି ସଭାପତି ଭାବେ ଘୋଷଣା କରିବାକୁ ନିଜେ ଶରତ ହିଁ ବିଶ୍ବାସ କରିପାରିନଥିଲେ । କିନ୍ତୁ ତାଙ୍କ ଦକ୍ଷତା ଓ ଆନୁଗତ୍ୟ ପାଇଁ ହାଇକମାଣ୍ଡ ତାଙ୍କ ଉପରେ ଭରସା କରିଥିଲେ । ୨୦୦୪ ମସିହା ପୂର୍ବଭଳି ଏବେ କଂଗ୍ରେସର ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି । ଏଭଳି ପରିସ୍ଥିତିରୁ ଉଦ୍ଧାର କରିବାକୁ ଶରତଙ୍କୁ ସଂକଟମୋଚକ ଭାବେ ପିସିସି ସଭାପତି ଦାୟିତ୍ବ ଦେଇଛନ୍ତି ହାଇକମାଣ୍ଡ ।  ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ଶରତଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । ଯଦିଓ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ଜୋରଦାର ଦାବି ହୋଇଥିଲା ତେବେ କଂଗ୍ରେସ ସୁପ୍ରିମୋ ଶରତଙ୍କ ଉପରେ ହିଁ ସୁନା କଳସ ଢାଳିଥିଲେ ।

ଓଡିଶା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ହିଁ ଦଳର ପରାଜୟର ପ୍ରମୁଖ କାରଣ । ନେତାମାନେ ନିୟମିତ ଭାବେ ଅନ୍ୟ ଦଳକୁ ଚାଲିଯିବା ଓ ମନଇଚ୍ଛା କହି ଦଳକୁ ଦୁର୍ବଳ କରୁଛନ୍ତି । ଦଳକୁ ସଂଗଠିତ କରିଆଗକୁ ନେବାକୁ ଆରମ୍ଭରୁ ପ୍ରୟାସ କରୁଛନ୍ତି ଶରତ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ସେ ପ୍ରୟାସ କରୁଛନ୍ତି । ଦଳ ଛାଡି ଚାଲିଯାଇଥିବା ବରିଷ୍ଠ ନେତା, ତଥା ବିଭିନ୍ନ ସମୟରେ ସସପେଣ୍ଡ ଓ ବହିଷ୍କୃତ ହୋଇଥିବା ନେତାଙ୍କ ଘରବାହୁଡା ପାଇଁ ଉଦ୍ୟମ କରୁଛନ୍ତି । 2024 ମସିହାରେ ଦଳକୁ ନୂଆ ଜୀବନ ଦେଇ 9ରୁ 90 ମିଶନରେ କାମ କରୁଛନ୍ତି ଶରତ । ଯଦିଓ ଶରତଙ୍କ ପାଖରେ ଲମ୍ବା ରାଜନୈତିକ ଅଭିଜ୍ଞତା ରହିଛି । ତେବେ ତାଙ୍କ ପାଇଁ ଚ୍ୟାଲେଞ୍ଜ ମଧ୍ୟ ଅନେକ ରହିଛି । ଦଳ ଭିତରେ ଥିବା ଅନ୍ତଃଦ୍ୱନ୍ଦକୁ ଦୂରକରି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଓ ଦଳର ନେତା ଏବଂ ବିଧାୟକମାନଙ୍କୁ ଶୃଙ୍ଖଳିତ କରିବା, ଦଳ ପାଇଁ ପାଣ୍ଠି ଯୋଗାଡ଼ କରିବା ଏବଂ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ କରିବା ପ୍ରମୁଖ ଆହ୍ବାନ । ତେବେ ଦଳର ସଂଗଠନ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବାବେଳେ  ଉତ୍ତର ଏବଂ ଉପକୂଳରେ ଦଳକୁ ସୁଦୃଢ଼ କରିବା, ଦଳରୁ ମୁହଁ ଫେରାଇ ଅନ୍ୟଦଳରେ ସାମିଲ ହୋଇଥିବା ନେତାଙ୍କୁ ଦଳକୁ ଫେରାଇ ଆଣିବା, ଦଳର ନେତୃତ୍ୱ ଉପରେ କର୍ମୀଙ୍କ ବିଶ୍ୱାସ ଏବଂ ଭରସା ସୁଦୃଢ଼ କରିବା ସହ ରାଜ୍ୟରେ ଶକ୍ତିଶାଳୀ ବିଜେଡି ଏବଂ କେନ୍ଦ୍ର ବିଜେପି ସରକାର ସହ ଟକ୍କର ଦେଇ ଦଳକୁ ଆଗକୁ ବଢ଼ାଇବା ପାଇଁ ଶରତ ଜାରି ରଖିଛନ୍ତି । ଶରତଙ୍କ ଉପରେ ହାଇକମାଣ୍ଡଙ୍କ ଆଶୀର୍ବାଦ ରହିଛି । ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରି କଂଗ୍ରେସକୁ ସେ କେତେ ମଜଭୁତ କରିପାରୁଛନ୍ତି ଏବେ ତାହାରି ଉପରେ ସମସ୍ତଙ୍କର ନଜର ରହିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!