୨୦ଟି ଖଣି ନିଲାମ ପାଇଁ ରୋଡ୍ ସୋ’

କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ଗତ ନଭେମ୍ବର ମାସରେ ଆରମ୍ଭ ହୋଇଥିବା କ୍ରିଟିକାଲ୍ ଏବଂ ଷ୍ଟ୍ରାଟେଜିକ୍ ଖଣିଜସଂପଦ ନିଲାମୀକୁ ସଫଳ କରିବା ନିମନ୍ତେ ଭୁବନେଶ୍ୱରରେ ଏକ ରୋଡ୍ସୋ’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଆଶାୟୀ ବିଡର୍ମାନେ ଯୋଗ ଦେଇଥିଲେ।

ଏହି ଅବସରରେ ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର ଏବଂ ଖଣି ମନ୍ତ୍ରାଳୟର ନିଯୁକ୍ତ ଅଧିକାରୀ ତଥା ଯୁଗ୍ମ ସଚିବ ଡ. ବୀଣାକୁମାରୀ ଡର୍ମାଲ ଉପସ୍ଥିତ ଥିଲେ। ନିଲାମ ପ୍ରକ୍ରିୟା ବିଷୟରେ ସମ୍ଭାବ୍ୟ ବିଡରମାନଙ୍କୁ ମାର୍ଗଦର୍ଶନ ଦେବା ଏହି ରୋଡ୍ ସୋ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି କ୍ରିଟିକାଲ୍ ଏବଂ ଷ୍ଟ୍ରାଟେଜିକ୍ ଖଣିଜ ବ୍ଲକ ନିଲାମ କରାଯାଉଛି ଏବଂ ଏଥି ମଧ୍ୟରେ, ୧୬ ଗୋଟି କମ୍ପୋଜିଟ୍ ଲାଇସେନ୍ସ ସହ ୪ ଗୋଟି ମାଇନିଙ୍ଗ ଲିଜ୍ ଅନ୍ତର୍ଭୁକ୍ତ। ଖଣିଜପଦାର୍ଥ ଗୁଡ଼ିକ ମଧ୍ୟରେ ଗ୍ରାଫାଇଟ୍, ଗ୍ଲୁକୋନାଇଟ୍, ଲିଥିୟମ୍, ରେୟାର ଆର୍ଥ ଏଲିମେଣ୍ଟ, ମଲିବଡେନମ୍, ନିକେଲ୍, ପୋଟାସ, ପ୍ଲାଟିନମ ଗ୍ରୁପ ଏଲିମେଣ୍ଟ, ଏବଂ ଫସଫୋରାଇଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ବ୍ଲକଗୁଡ଼ିକ ବିହାର, ଛତିଶଗଡ, ଗୁଜରାଟ, ଝାଡ଼ଖଣ୍ଡ, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶଏବଂ ଜାମ୍ମୁକାଶ୍ମୀରଠାରେ ରହିଛି।

ଏଥିରୁ ୪ଗୋଟି ବ୍ଲକ ଓଡ଼ିଶାରେ ରହିଛି। ଖଣି ଗୁଡ଼ିକର ନିଲାମୀ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଖଣି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସଂଶୋଧନ ଏବଂ ଆଗାମୀ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଡ. ବୀଣା କୁମାରୀ କହିଛନ୍ତି। ଟେଣ୍ଡର ଡକ୍ୟୁମେଣ୍ଟ ବିକ୍ରିର ଶେଷ ତାରିଖ ଫେବ୍ରୁଆରି ୧୩ ରହିଥିବାବେଳେ ୨୦, ତାରିଖକୁ ବିଡ୍ ଦାଖଲ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏହାପରେ ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହେବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!