ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର ସ୍ଥାୟୀ ବିକାଶ ହାସଲ କରିବାକୁ ହେଲେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବାକୁ ପଡ଼ିବ ଯାହା ସମାନ୍ତରାଳ ସମାଜକୁ ସୁନିଶ୍ଚିତ କରିବା ସହ ବିଶ୍ବକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି।
‘ଅନିଶ୍ଚିତ ଦୁନିଆରେ ସ୍ଥାୟୀ ଅଭିବୃଦ୍ଧିର ବାଟ’ ଓ ‘ଓଡ଼ିଶାର ସାମାଜିକ କ୍ଷେତ୍ରରେ ଉଦୀୟମାନ ପ୍ରସଙ୍ଗ’ ବିଷୟବସ୍ତୁ ଉପରେ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଡ. ମିଶ୍ର ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ଭୌଗୋଳିକ ରାଜନୈତିକ(ଜିଓ ପଲିଟିକାଲ୍) ଅନିଶ୍ଚିତତା, ପ୍ରଯୁକ୍ତିବିଦ୍ୟା ଓ ନବୀକରଣ ଯଥା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଜନିତ ଅନିଶ୍ଚିତତା ଏବଂ ପରିବେଶ ଚିନ୍ତା ତଥା ଶକ୍ତି ରୂପାନ୍ତରୀକରଣ ସମ୍ବନ୍ଧୀୟ ଅନିଶ୍ଚିତତାରୁ ବିଶ୍ୱସ୍ତରୀୟ ଅନିଶ୍ଚିତତା ଆସୁଛି ବୋଲି କହିଛନ୍ତି। ତେବେ ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରମୁଖ ପ୍ରଦର୍ଶନକାରୀ ହୋଇ ରହିଛି।
ଭାରତ ଏବେ ଆତ୍ମନିର୍ଭର ହେବା ସହ ଉତ୍ପାଦନ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ପରିବେଶ ପାଇଁ ଜୀବନଶୈଳୀ(ଲାଇଫ୍), ସୋଲାର ଚୁକ୍ତି ଓ ସିଡିଆର୍ଆଇ ଭଳି ପଦକ୍ଷେପ ନେଇଛି। ଏଥିରେ ଅନ୍ୟ ଦେଶମାନେ ଯୋଡ଼ି ହେବା ଉଚିତ ବୋଲି ଡ. ମିଶ୍ର କହିଥିଲେ। ଶେଷ ଦୁଇଟି ବଜେଟ୍ରେ ଭାରତ ସରକାର ପରିବେଶ ସମସ୍ୟାର ସମାଧାନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ‘ପିଏମ୍ ଗତି ଶକ୍ତି’ ମାଧ୍ୟମରେ ଭିତ୍ତିଭୂମି ବିକାଶ ଉପରେ ଅଧିକ ବଜେଟ୍ ବ୍ୟବସ୍ଥା କରୁଛନ୍ତି।
ତା ସହିତ ସାମାଜିକ ସମାନତା ସୁନିଶ୍ଚିତ କରିବା ପାଇଁ ସରକାର ଜାତୀୟ ଶିକ୍ଷାନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ, ପିଏମ୍ ସ୍ବନିଧି, ପିଏମ୍ ବିଶ୍ୱକର୍ମା ଯୋଜନା ଆଦି କାର୍ଯ୍ୟକାରୀ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ସେ କହିଥିଲେ।

