୩ ହଜାର ୫୦ କୋଟି ଟଙ୍କା ନିବେଶରେ ‘ଟେକ୍ସଟାଇଲ ପାର୍କ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ଜିଲ୍ଲା ଚୌଦ୍ୱାରଠାରେ ‘ଟେକ୍ସଟାଇଲ ପାର୍କ’ର ଶିଳାନ୍ୟାସ ହୋଇଛି। ୧୯୫୦ ବେଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ବିକାଶ ପାଇଁ ଚୌଦ୍ୱାରଠାରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପୁଣି ତାହାର ପୁନରୁଦ୍ଧାର ହେବାକୁ ଯାଉଛି।

ଏହାସହ ଶିଳ୍ପ କ୍ଷେତ୍ରରେ କଟକ ପୁଣିଥରେ ନୂଆ ପରିଚୟ ପାଇବାକୁ ଯାଉଛି।ବିଶ୍ୱସ୍ତରୀୟ ‘ୱେଲସ୍ପନ୍ ଟେକ୍ସଟାଇଲ ଗ୍ରୁପର’ ସହଯୋଗରେ ୩ ହଜାର ୫୦ କୋଟି ଟଙ୍କା ନିବେଶରେ ଆଜି ଚୌଦ୍ୱାରରେ ଇଣ୍ଟିଭେଟେଡ୍ ଟେକ୍ସଟାଇଲ କମ୍ଲେକ୍ସ ପାଇଁ ଶିଳାନ୍ୟାସ ହୋଇଛି। ଫଳରେ ଏଠାରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହାସହ ରାଜ୍ୟର କପା ଚାଷୀମାନେ ମଧ୍ୟ ବିଶେଷ ଲାଭବାନ ହୋଇପାରିବେ।

କେବଳ ଏତିକି ନୁହେଁ, ଏଥିରେ ମହିଳାମାନଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି। ସେମାନଙ୍କୁ ସ୍କିଲ ଡେଭଲପମେଣ୍ଟ ଅଧୀନରେ ଟ୍ରେନିଂ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ।  ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ  ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡ଼ିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା।
ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍‌ ପକ୍ଷରୁ ଏକ ଟିମ୍‌ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗ୍ରୁପ୍ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଶିଳ୍ପ  ଦ୍ବାରା ଆମର କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀମାନେ ମଧ୍ୟ ଉପକାର ପାଇବେ। ବୟନ ଶିଳ୍ପରେ ମା ମାନଙ୍କ ପାଇଁ ବହୁତ ସୁଯୋଗ ଅଛି ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ଦକ୍ଷତା ବିକାଶ  କରାଯାଇ ସେମାନଙ୍କର ନିଯୁକ୍ତି ପାଇଁ ବହୁତ ସୁଯୋଗ ଆସିବ।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!