ରାଜ୍ୟରେ ଆରମ୍ଭ ହୋଇଛି ନିର୍ବାଚନୀ ତାତି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ମତଦାନ ତାରିଖ ଘୋଷଣା ହେବାକୁ ଥିବା ବେଳେ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ବାତାବରଣ ହୋଇଯାଇଛି ସରଗରମ । ଆଜି ଅପରାହ୍ନ ୩ଟା ୩୦ରେ ଶାସକ ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ବସିବାକୁ ଯାଉଛି ।
ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକର ଏଜେଣ୍ଡା ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ଆସନ୍ତା ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆହୁରି ମଧ୍ୟ ଏହି ବୈଠକରେ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ଉଷା ଦେବୀ, ସମୀର ଦାଶ, ପ୍ରତାପ ଦେବ, ସୁଶାନ୍ତ ସିଂ, ସାରଦା ନାୟକ, ବିକ୍ରମ କେଶରୀ ଆରୁଖ, ସୁଦାମ ମାରଣ୍ଡି, ନିରଞ୍ଜନ ପୂଜାରିଙ୍କ ସହ ଅନେକ ନେତା ଉପସ୍ଥିତ ରହିବା ନେଇ ସୂଚନା ମିଳୁଛି।
ବିଜେଡି-ବିଜେପିର ଏହି ଦୁଇଟି ବୈଠକ ପୃଥକ ପୃଥକ ହେଉଥିଲେ ମଧ୍ୟ ଏହାକୁ ଏକାଠି କରି ଦେଖିବା ଆରମ୍ଭ କରିଛନ୍ତି ରାଜନୈତିକ ବିଶ୍ଲେଷକ । ସମ୍ଭବତଃ ଏହି ଦୁଇଟି ବୈଠକରେ ଦୁଇ ଦଳର ମେଣ୍ଟ ନେଇ ନେତାଙ୍କ ଭିତରେ ଚର୍ଚ୍ଚା ଆଲୋଚନା ହେଇପାରେ ବୋଲି କୁହାଯାଉଛି । ହେଲେ ଏହା ପୂର୍ବରୁ କିନ୍ତୁ ଦୁଇ ଦଳର ନେତା ମେଣ୍ଟ ଚର୍ଚ୍ଚାକୁ ଖୋଲାଖୋଲି ଭାବେ ଗୁଜବ ବୋଲି କହିସାରିଛନ୍ତି । ହେଲେ ମୋଦୀ ଓଡିଶାରୁ ଯିବାର ୨୪ ଘଣ୍ଟା ନପୁରୁଣୁ ଦୁଇ ଦଳର ଏହି ବୈଠକ ରାଜନୈତିକ ସମୀକ୍ଷକଙ୍କୁ ମେଣ୍ଟ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି ।

