ପ୍ରସିଦ୍ଧ ଉଦ୍ୟୋଗପତି ତଥା ଇନଫୋସିସ୍ ଚେୟାରମ୍ୟାନ୍ ନାରାୟଣ ମୁର୍ତ୍ତିଙ୍କ ପତ୍ନୀ ସୁଧା ମୁର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଏନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଧା ମୂର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହା ମହିଳା ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ। “ମୁଁ ଏଥିପାଇଁ ବହୁତ ଖୁସି ଯେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ସୁଧା ମୁର୍ତ୍ତିଙ୍କୁ ରାଜ୍ୟସଭାରେ ମନୋନୀତ କରିଛନ୍ତି । ସାମାଜିକ କାର୍ୟ୍ୟ, ପରୋପକାର ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ମୁର୍ତ୍ତିଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ଅଟେ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଆମର ‘ମହିଳା ଶକ୍ତି’ପାଇଁ ଏକ ବିରାଟ ପ୍ରମାଣ । ଯେଏ ଆମ ଦେଶର ଭବିଷ୍ୟତ ଗଠନ କରିବାରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଏକ ଶକ୍ତିଶାଳୀ ପ୍ରମାଣ ଅଟନ୍ତି । ମୁଁ ତାଙ୍କର ସଫଳ ସଂସଦୀୟ କାର୍ଯ୍ୟକାଳର କାମନା କରୁଛି ବୋଲି କହିଛନ୍ତି ମୋଦୀ ।
୭୩ ବର୍ଷୀୟ ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଅଟନ୍ତି। ଏଥିସହ ସେ ଜଣେ ଶିକ୍ଷକ, ଲେଖକ ଏବଂ ଜଣେ ସାମାଜିକ କର୍ମୀ ମଧ୍ୟ । ସୁଧା ଲଗାତର ଭାବେ ମହିଳା ଏବଂ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି ଏଥି ସହିତ ସେ ଅନେକ ପୁସ୍ତକ ଲେଖିଛନ୍ତି। ସେ ୧୯ ଅଗଷ୍ଟ ୧୯୫୦ ରେ ଶିଗାଓଁରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କୁ ବିବାହ କରିଥିଲେ । ତାଙ୍କର ଝିଅ ଅକ୍ଷତା ମୁର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ।


