ଆନ୍ତର୍ଜାତୀୟ ହାପିନେସ ଡେ ଅବସରରେ ବାର୍ଷିକ ହାପିନେସ ରିପୋର୍ଟ ପ୍ରକାଶ ପାଇଛି।୧୩୭ ଦେଶ ତାଲିକାରେ ଭାରତ ୧୨୫ ତମ ସ୍ଥାନରେ ରହିଛି। ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ (୧୦୮), ମିଆଁମାର (୭୨), ନେପାଳ (୭୮), ବାଂଲାଦେଶ (୧୦୨) ଏବଂ ଚୀନ୍ (୬୪) ଭାରତ ଉପରେ ରହିଛନ୍ତି। ଏହି ରିପୋର୍ଟରେ ଫିନଲ୍ୟାଣ୍ଡକୁ ଦୁନିଆର ସବୁଠୁ ଖୁସି ଦେଶ ବୋଲି ଦର୍ଶାଯାଇଛି। ଲଗାତାର ଷଷ୍ଠ ଥର ପାଇଁ ପ୍ରଥମ ସ୍ଥାନ ପାଇଛି ଫିନଲ୍ୟାଣ୍ଡ।
ତାଲିକାର ଶେଷ ସ୍ଥାନରେ ଆଫଗାନିସ୍ତାନ ୧୩୭ ତମ ଅର୍ଥାତ୍ ଏହି ତାଲିକାରେ ଶେଷ ସ୍ଥାନ ପାଇଛି । ରିପୋର୍ଟ ଅନୁଯାୟୀ, ସେଠାରେ ଥିବା ଲୋକମାନେ ଅତ୍ୟନ୍ତ ଅସନ୍ତୁଷ୍ଟ। ସର୍ବନିମ୍ନ ଖୁସି ଦେଶ ତାଲିକାରେ ଥିବା ଅନ୍ୟ ଦେଶଗୁଡ଼ିକ ହେଉଛି– ଲେବାନନ୍, ଜିମ୍ବାୱେ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଇତ୍ୟାଦି । ଏହି ଦେଶଗୁଡିକରେ ଲୋକଙ୍କ ମଧ୍ୟରେ ସର୍ବାଧିକ ଦୁର୍ନୀତି ଏବଂ ଜୀବନ ଜୀଇଁବାର ଆଶା ବହୁତ କମ ରହିଛି ।
ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କ ଏହି ରିପୋର୍ଟ ପ୍ରକାଶ କରିଛି
ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କ ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଛି। ୧୫୦ ରୁ ଅଧିକ ଦେଶର ଲୋକଙ୍କ ଉପରେ କରାଯାଇଥିବା ବିଶ୍ୱସ୍ତରୀୟ ସର୍ଭେ ତଥ୍ୟ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି । ଏଥିରେ ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ଆୟୁଷ, ସ୍ୱାଧୀନତା, ଦୁର୍ନୀତି ଏବଂ ଉଦାରତା ଭଳି କାରକ ଉପରେ ବିଶେଷ ଧ୍ୟାନ ଦିଆଯାଏ ।
ଋଷ–ୟୁକ୍ରେନ ପରିସ୍ଥିତି ଭାରତ ଅପେକ୍ଷା ଭଲ
ଗତ ଏକ ବର୍ଷ ଧରି ଋଷ–ୟୁକ୍ରେନ ଯୁଦ୍ଧ ଚାଲିଛି। ତଥାପି ସୁଖ ସୂଚକାଙ୍କରେ ସେମାନଙ୍କର ସ୍ଥିତି ଭାରତ ଅପେକ୍ଷା ଭଲ । ଋଷକୁ 70 ନମ୍ବରରେ ଏବଂ ୟୁକ୍ରେନକୁ 92 ନମ୍ବରରେ ରଖାଯାଇଛି।
ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ସତ୍ତ୍ୱେ ଭାରତ ତାଲିକାର ନିମ୍ନ ଭାଗରେ ରହିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ପ୍ରଶ୍ନ ଉଠାଉଛନ୍ତି ଯେ ଭାରତ ସଙ୍କଟରେ ଥିବା ଦେଶମାନଙ୍କଠାରୁ କାହିଁକି ତଳେ ଅଛି?

