ସେ ସ୍ୱର ଆଦିବାସୀଙ୍କର, ସେ ସ୍ୱର ଅନୁସୂଚିତ ଜାତି ଆଉ ଜନଜାତିଙ୍କର । ଅଧିକାରର ଲଢେଇରେ ସେ ଆଗଧାଡିର ଯୋଦ୍ଧା, ହକର ଲଢେଇରେ ପ୍ରତି ମଣିଷର ଆସ୍ପର୍ଦ୍ଧା । ସେ ଚାଷୀର ପୁଅ, ହେଲେ ସେବାର ରକ୍ତକୁ ଧମନୀରେ ଧାରଣ କରି ଜୀବନକୁ ନିଷ୍ପେଶିତ, ଦଳିତ, ଆଦିବାସୀ ଓ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଥିବା ଜଣେ ନିଆରା ଜନସେବକ । କନ୍ଧମାଳ ମାଟିର ଲଢୁଆ ପୁଅ, ବାଲିଗୁଡା ନିର୍ବାଚନମଣ୍ଡଳୀର ଆଶା, ଭରସାର ପ୍ରତୀକ ଶ୍ରୀ ବିଜେଶ୍ୱର ମଲ୍ଲିକ ।
ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ବିଜେଶ୍ୱର ମଲ୍ଲିକ । ବାଲିଗୁଡାର ବାଲିମାଟିକୁ ଭଲକି ଚିହ୍ନିଥିବା ମାଟିର ମଣିଷ । ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ପାଖରୁ ଦେଖିଥିବା ପୋଖତ ରାଜନେତା । ଉଚ୍ଚଶିକ୍ଷିତ ପରିବାରର ପୁଅ ହୋଇ ବି ସେବା ମନୋବୃତ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଭିମୁଖ୍ୟରେ ଅନୁପ୍ରାଣିତ ହୋଇ ରାଜନୀତିର ମଇଦାନରେ ସଭିଙ୍କର ଆପଣାର ସାଜିଛନ୍ତି ବିଜେଶ୍ୱର । ବାଲିଗୁଡା ନିର୍ବାଚନ ମଣ୍ଡଳୀର ଆବାଳବୃଦ୍ଧବନିତାଙ୍କର ସେ ହୋଇପାରିଛନ୍ତି ପ୍ରିୟପାତ୍ର । ବିଜେଡି ଟିକେଟରେ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ବିଜେଶ୍ୱର ଆଶାୟୀ ଥିବାବେଳେ ତାଙ୍କ ପ୍ରତି ଜନତାଙ୍କର ରହିଛି ଅକୁଣ୍ଠ ସମର୍ଥନ । ଗାଁ ଗାଁରେ ବିଜେଶ୍ୱର ପାଇଁ ଲୋକଙ୍କ ଭଲପାଇବା ଓ ଆଶୀର୍ବାଦର ସୁଅ ହିଁ ତାଙ୍କ ଲୋକପ୍ରିୟତାର ପ୍ରମାଣ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସେବା ନୀତି ଓ ଫାଇଭ-ଟି ଉପକ୍ରମର ସ୍ୱଚ୍ଛତା ମନ୍ତ୍ରରେ ବିଜେଶ୍ୱର ଦୀକ୍ଷିତ ହୋଇଛନ୍ତି । ଦଳର ବରିଷ୍ଠ ନେତାଙ୍କ ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗୁଡ୍ ବୁକରେ ବି ଅଛନ୍ତି ବିଜେଶ୍ୱର । ଲୋକଙ୍କ ପ୍ରତି ପ୍ରତିବଦ୍ଧତା ଓ ନିଷ୍ଠାପରତା ହିଁ ତାଙ୍କୁ ଆଜି କେବଳ ବାଲିଗୁଡା ନୁହେଁ ସାରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ବିଶେଷ କରି ବାଲିଗୁଡାର ଆଦିବାସୀ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଅଧିକାର ଏବଂ ସେମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବାକୁ ତାଙ୍କ ପଦକ୍ଷେପ ଆଜି ସବୁଠି ପ୍ରଶଂସନୀୟ ।
ଜଣେ ଚାଷୀର ପୁଅ ହୋଇଥିଲେ ବି ବିଜେଶ୍ୱରଙ୍କ ଦେହରେ ବହୁଛି ସେବା ଓ ରାଜନୀତିର ରକ୍ତ । ବିଜେଶ୍ୱରଙ୍କ ପରିବାରର ଅନେକ ସଦସ୍ୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ରାଜନୀତି ସହ ଜଡିତ । ନିଜେ ବିଜେଶ୍ୱର ଛାତ୍ର ସମୟରେ ହିଁ ନେତୃତ୍ୱ ନେବାର ଦକ୍ଷତା ଦେଖାଇଆସିଛନ୍ତି । ୧୯୯୬ ମସିହାରେ ବାଲିଗୁଡା ଆଦିବାସୀ କଲେଜରୁ ସେ ରାଜନୀତି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦେଶ ସେବାରେ ନିୟୋଜିତ ହୋଇଥିଲେ । ଭାରତୀୟ ସେନାରେ ୨୩ ବର୍ଷ ଧରି ଭାରତ ମାଆର ସେବା କରିଥିଲେ । କାରଗିଲ ଯୁଦ୍ଧରେ ନିଜକୁ ନିୟୋଜିତ କରି ଦେଶ ପାଇଁ ଗୌରବ ଆଣିଥିଲେ । ଭାରତମାଆ ମାଟି ପାଇଁ ସେବା କରିବା ପରେ ବି ସେ ଥକିନଥିଲେ । ନିଜ ଅଞ୍ଚଳର ଆଦିବାସୀ, ହରିଜନ ଏବଂ ଅନ୍ୟାନ୍ୟ ସମସ୍ତ ବର୍ଗର ଏବଂ ସାରା ଅଞ୍ଚଳର ବିକାଶ ପାଇଁ ତାଙ୍କ ଅନ୍ତରରୁ ଆହ୍ବାନ ସୃଷ୍ଟି ହୋଇଥିଲା। କନ୍ଧମାଳ ଜିଲ୍ଲା ଏକ ପାହାଡ଼ ପର୍ବତ ଘେରା ଅଞ୍ଚଳ। ସ୍ବାଧୀନତାର ୭୫ବର୍ଷ ପରେ ବି ଅନେକ ସ୍ଥାନରେ ଆଜି ବି ବିକାଶର ସ୍ପର୍ଶ ବାଜିନି। ଲୋକମାନେ ବିକାଶ ପଥରେ ସାମିଲ ହେବାର ସୁଯୋଗରୁ ବଞ୍ଚିତ ଅଛନ୍ତି। ଫଳରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି । ସେମାନଙ୍କର ଆଶାରେ ବିଶ୍ବାସ ଭରିବାକୁ ଚାକିରିରୁ ସ୍ବେଛାକୃତ ଅବସର ନେଇ କନ୍ଧମାଳ ଜିଲ୍ଲାର ଏବଂ ବିଶେଷକରି ବାଲିଗୁଡାର ବିକାଶ ପାଇଁ ଆଗେଇ ଆସିଥିଲେ ବିଜେଶ୍ବର । ଜନ୍ମମାଟି ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ରାଜନୀତିକୁ ଟାଣିଆଣିଥିଲା ।
ବର୍ତ୍ତମାନ ବିଜେଡିର କର୍ମକର୍ତ୍ତା ସହ କନ୍ଧମାଳ ଜିଲ୍ଲା ଅବସରପ୍ରାପ୍ତ ଆର୍ମି, ନାଭି ଓ ଏୟାରଫୋର୍ସ ସଂଘର ସେ ସଭାପତି ଅଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ସଂଘର ସଭାପତି ଏବଂ ଜଣେ ସମାଜସେବୀ ଭାବେ ନିଜକୁ ପରିଚିତ କରିପାରିଛନ୍ତି । ଗତ ୬ ବର୍ଷ ଧରି ବିଜୁ ଜନତା ଦଳରେ ସକ୍ରିୟ ରହି ସେବା ମାଧ୍ୟମରେ ସମସ୍ତଙ୍କର ମନ ଜିତିପାରିଛନ୍ତି । କନ୍ଧମାଳ ତଥା ବାଲିଗୁଡା ଅଞ୍ଚଳରେ ବିଗତ ଦିନରେ ପରସ୍ପର ମଧ୍ୟରେ ରହିଥିବା ବିଦ୍ବେଷକୁ ଦୂରେଇ ଦେଇ ଭାଇଚାରା ସୃଷ୍ଟି କରିବାରେ ତଥା ସମସ୍ତଙ୍କୁ ଏକାଠି କରି ସ୍ଥାନୀୟ ଅଞ୍ଚଳର ବିକାଶ କରିବାରେ ଏକ ମିଳିତ ମଞ୍ଚ ଗଠନ କରି ସମସ୍ତଙ୍କୁ ଏକସ୍ରୋତରେ ସାମିଲ କରି ଲୁହ ବଦଳରେ ହସ ଫୁଟାଇପାରିଛନ୍ତି ବିଜେଶ୍ବର । ଫଳରେ ତାଙ୍କ ପ୍ରତି ବାଲିଗୁଡାବାସୀ ଆକୃଷ୍ଟ ହେବା ସହ ତାଙ୍କୁ ନିଜର ଭରସା ଓ ବିଶ୍ବାସ ଭାବେ ଗ୍ରହଣ କରିଛନ୍ତି । ଆଜି ଆଦିବାସୀ ଓ ହରିଜନମାନେ ତାଙ୍କୁ ନିଜର ଆଶାଭରସା ଭାବେ ଗ୍ରହଣ କରିବା ସହ ତାଙ୍କର ପ୍ରତି କଥାକୁ ସମ୍ମାନ ଦେଉଛନ୍ତି । ଯୁବପିଢିଙ୍କୁ ସେ ପ୍ରୋତ୍ସାହନ ଦେବା ସହ ନିଜସ୍ବ ଉଦ୍ୟମରେ ଗ୍ରାମାଞ୍ଚଳରେ କ୍ରୀଡ଼ା କାର୍ଯ୍ୟାକ୍ରମ ମାଧ୍ୟମରେ ଲୋକଙ୍କୁ ଏକତ୍ରିତ କରି ସଭିଙ୍କ ମଧ୍ୟରେ ଖୁସି ଖେଳାଇଛନ୍ତି । ତାଙ୍କ ଉଦ୍ୟମରେ ଆଜି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏକତାର ଗାଥା ଗାଉଛି ବାଲିଗୁଡ଼ା ।
ବିଜେଶ୍ୱରଙ୍କ ପରିବାର ଏକ ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ ରାଜନୈତିକ ପରିବାର । ବିଜେଶ୍ୱରଙ୍କର ବାପା ଜଣେ ଚାଷୀ ସହ ଆଦିବାସୀ ନେତାଭାବେ ସଭିଙ୍କ ନିକଟରେ ପରିଚିତ ଥିଲେ । ତାଙ୍କ ବଡଭାଇ ବାଲିଗୁଡା କୁଇ ସମାଜର ସଭାପତି ଥିବାବେଳେ ମଝିଆଁ ଭାଇ ନୟାଗଡ ଜିଲ୍ଲାରେ ଡିଏସପି ଭାବେ କାର୍ଯ୍ୟରତ । ସାନ ଭାଇ ଭାରତୀୟ ସେନାରେ ଉଚ୍ଚ ପଦବୀରେ ନିଯୁକ୍ତ ହୋଇ ଗୌରବ ଆଣିଛନ୍ତି । ସେହିପରି ବିଜେଶ୍ୱରଙ୍କର ଜଣେ ଭଉଣୀ ୨ ଥର ସରପଞ୍ଚ , ଥରେ ବ୍ଲକ ଅଧ୍ୟକ୍ଷ ସହ ବର୍ତ୍ତମାନ ଜିଲ୍ଲା ପରିଷଦ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରାଜନୀତି ସବ ସଂପୃକ୍ତ ।
ଗତ ୬ ବର୍ଷ ଧରି ବିଜେଡି ପାଇଁ ପ୍ରତିଟି କ୍ଷେତ୍ରରେ ନିଜକୁ ଆଗରେ ଠିଆ କରିଛନ୍ତି ବିଜେଶ୍ୱର । ଦଳ ପାଇଁ ମାଟି ହୋଇ ମାଟି ସହିତ ଖଟିଛନ୍ତି । ଗାଁ ଗହଁଳିକୁ ଯାଇ ଲୋକଙ୍କ ଦୁଃଖ ଶୁଣିଛନ୍ତି । ବାଲିଗୁଡାର ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇ ବିଜେଡିକୁ ସଶକ୍ତ କରିବାରେ ତାଙ୍କ ଭୂମିକା ଅତୁଳନୀୟ । ଘରେ ଘରେ ଶଙ୍ଖ, ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷ ରୋପଣ ଆଜି କାର୍ଯ୍ୟକ୍ରମ କରି ଲୋକଙ୍କ ନିକଟତର ହୋଇଛନ୍ତି । ପ୍ରତି ସମୟରେ ଜନତାଙ୍କ ସାଥିରେ ରହି ସେ ପ୍ରମାଣିତ କରିଦେଇଛନ୍ତି ଯେ, ସେବା କରିବାର ମନୋଭାବ ଜଣେ ବ୍ୟକ୍ତିକୁ କିଛି କରିବାକୁ ସଂକଳ୍ପବଦ୍ଧ କରିଥାଏ । ବାଲିଗୁଡାର ପ୍ରତିଟି ଜନସାଧାରଣ ଆଜି ବିଜେଶ୍ୱର ପ୍ରାର୍ଥୀତ୍ୱକୁ ଅନାଇବସିଛନ୍ତି । ତାଙ୍କ ପ୍ରିୟ ନେତାଙ୍କୁ ଭୋଟ୍ ଦେଇ ବିଧାୟକ ଭାବେ ନିର୍ବାଚିତ କରିବାକୁ ସଭିଏଁ ମନସ୍ଥ କରିଛନ୍ତି ।

