କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।ସେ କହିଛନ୍ତି, ମୋର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛି। ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପା଼ଇଁ ସର୍ମର୍ପିତ। ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି ଓ ମୋ ସର୍ମଥକ ଓ ସାଥୀଙ୍କ ପରାମର୍ଶରେ କାର୍ଯ୍ୟପନ୍ଥା ଗ୍ରହଣ କରିବି।
ଅକାଶ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ କୋରେଇରେ ବିଧାୟକ ଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ସ୍ଥାନରେ ଦଳ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା। ସେମଧ୍ୟ ବିଜୟ ହୋଇଥିଲେ। ୨୦୨୪ରେ ଆକାଶ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ଟିକେଟ ପାଇବା ଆଶାରେ ନବୀନ ନିବାସ ଯାଇଥିଲେ। ହେଲେ ସେ ନିରାଶ ହୋଇ ଫେରିଥିଲେ। ବିଜେଡି ଛାଡ଼ିବା ପରେ ଆକାଶ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଛି।
ସେ ଆହୁରି କହିଛନ୍ତି, ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା। ହେଲେ ବିନା ପ୍ରତିବାଦରେ ମୁଁ ଦଳ ସହ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି। ୫ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। ଖରାହେଉ ବା ବର୍ଷା ମୁଁ ଦଳ ପାଇଁ ପ୍ରଚାର କରିଛି। ୩୦ଟି ଜିଲ୍ଳା ବୋଲି ମୁଁ ଦଳ ପାଇଁ ପରିଶ୍ରମ କରିଛି। ଏତେସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ। ସେଥିପାଇଁ ମୁଁ ଦଳ ଛାଡ଼ିଦେଲି।

