ପଦ୍ମ ଧରିଲେ ପ୍ରିୟଦର୍ଶୀ: ଉତ୍ତରରୁ ହେବେ ପ୍ରାର୍ଥୀ

ମାଧ୍ୟମ ଯାହା ବି ହେଉ ନା କାହିଁକି, ଦଳ ଯାହା ବି ହେଉନା କାହିଁକି । ଜନସେବା ହିଁ ମୁଖ୍ୟ ଉଦ୍ଦେଶ୍ୟ, ଲୋକଙ୍କ ପାଖରେ ରହିବା ହିଁ ମୂଳ ଲକ୍ଷ।‌ଏକଥାକୁ ପୁଣିଥରେ ପ୍ରମାଣ କରିଦେଇଛନ୍ତି ଭୁବନେଶ୍ୱର-ଉତ୍ତରର ପୂର୍ବତନ ବିଧାୟକ, ବିଜୁ ପ୍ରେମୀ ତଥା ବର୍ତ୍ତମାନର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର। ଲୋକଙ୍କ ପାଖରେ ରହିବାର ପଣ, ଲୋକଙ୍କ ସେବାରେ ନିୟୋଜିତ ହେବାର ପ୍ରତିବଦ୍ଧତା ଓ ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର।

ସକାଳେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ । ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରିଥିଲେ । ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିଲେ । ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ସେ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛନ୍ତି । କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି । ତା’ର ପ୍ରତିବାଦରେ ସେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ବିଜେଡି ଗତ ଥର ପ୍ରିୟଦର୍ଶୀଙ୍କୁ ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ସେ ଇସ୍ତଫା ଦେଇଛନ୍ତି । ୨୦୧୯ରେ ଟିକେଟ୍ ଦେବ କହି ଦେଇନଥିଲା ବିଜୁ ଜନତା ଦଳ । ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ‌ବି ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ପ୍ରିୟଦର୍ଶୀ କହିଛନ୍ତି । ଏପରିକି ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ସାମିଲ କରାଯାଉନଥିଲା ବୋଲି ସେ ଦୋହରାଇଛନ୍ତି।

ରାଜନୀତିରେ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ବିଶେଷ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର । ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ଵର- ଉତ୍ତରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ଥିବାବେଳେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନୟନମୂଳକ, ଲୋକହିତକର କାମ କରି ସଭିଁଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ୨୦୧୯ ପରଠୁ ନିଜେ କ୍ଷମତାରେ ନଥାଇ ମଧ୍ୟ ଲୋକଙ୍କ ପାଇଁ ସବୁବେଳେ ସବୁ ସମୟରେ ଠିଆ ହୋଇଛନ୍ତି ପ୍ରିୟଦର୍ଶୀ। କ୍ଷମତାରେ ରହି ଜନତାଙ୍କ ସେବା କରିବା ହିଁ ଏକ ପ୍ରଧାନବିକଳ୍ପକୁ ସେ ଭୁଲ ପ୍ରମାଣିତ କରିଛନ୍ତି । ଅନବରତ ଭାବେ ସମାଜସେବାମୂଳକ କାର୍ଯ୍ୟକ୍ରମରେ ମନୋନିବେଶ କରୁଥିବା ରାଜନେତା ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଛାତ୍ର ରାଜନୀତିରେ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ। ପରେ ଲୋକଙ୍କ ପାଇଁ କାମ କରିଚାଲିଥିଲେ। ଯାହା ଫଳରେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ତାଙ୍କୁ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା। ୭୩୭୨୮ ଖଣ୍ଡ ଭୋଟ ପାଇ ସେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ଭୁବନେଶ୍ବର ବ୍ଲକର ୫ଟି ପଞ୍ଚାୟତ ସହ ଭୁବନେଶ୍ବର ମହାନଗର ନିଗମର ୧ରୁ ୧୧ ନମ୍ବର ୱାର୍ଡ ଓ ୧୩ ନମ୍ବର ୱାର୍ଡକୁ ନେଇ ଗଠିତ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ସେ ମଙ୍ଗ ଧରିଥିଲେ। ଏହି ସମୟ ମଧ୍ୟରେ ଅନେକ ଗୁଡ଼ିକ କାର୍ଯ୍ୟ ସେ ହାତକୁ ନେଇଥିଲେ।

ବିଜେଡି ୨୦୧୯ ମସିହାରେ ତାଙ୍କୁ ଟିକେଟ ଦେଇନଥିବାବେଳେ ସେ ବିରୋଧ କରିନଥିଲେ, ବଂର ସେଠାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ପରେ ଦଳ ଦେଇଥିବା ବିଭିନ୍ନ ଦାୟିତ୍ବକୁ ସୂଚାରୁ ରୂପେ ସେ ସମ୍ପାଦନ କରିଥିବା ଦେଖିବାକୁ ମିଳିଥିଲା । ସେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ମଧ୍ୟ ରହିଥିଲେ। କିନ୍ତୁ ୩ ବର୍ଷ ପରେ ଯେତେବେଳେ ବିଜେଡି ତାଙ୍କୁ ଏହି ପଦରୁ ହଟିବାକୁ କହିଥିଲା, ସେ ଏହାକୁ ଆଦରରେ ଗ୍ରହଣ କରି ଏହି ପଦରୁ ହଟିଯାଇଥିଲେ। ଯାହା ଦଳ ପ୍ରତି ଥିବା ତାଙ୍କର ଭଲପାଇବାକୁ ଦର୍ଶାଇଥିଲା । ମାତ୍ର ବାରମ୍ବାର ଦଳୀୟ କ୍ଷେତ୍ରରେ ଅବହେଳା କାରଣରୁ ଆଜି ବିଜେଡିରୁ ଇସ୍ତଫା ଦେଇ ସେ ବିଜେପିରେ ସାମିଲ ହୋଇଛନ୍ତି ।‌ ବିଜେପିରୁ ସେ ବିଧାୟକ ପ୍ରାର୍ଥୀ ହେବାନେଇ ସୂଚନା ମିଳିଛି।

Post Views58 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!