ନୟାଗଡ଼ରେ ଅରୁଣଙ୍କ ପଞ୍ଚମ ଇଂନିସ

ଏଥର ନୟାଗଡ଼ରେ ହେବ କଡ଼ା ଟକ୍କର । ପଞ୍ଚମ ଥର ଗଡ଼ ଦଖଲ ଲକ୍ଷ୍ୟରେ ଅରୁଣ ସାହୁ। ଲୋକପ୍ରିୟତା ଓ ଦକ୍ଷତାକୁ ବିଚାରକୁ ନେଇ ପୁଣିଥରେ ଅରୁଣଙ୍କୁ ଟିକେଟ ଦେଇଛି ବିଜେଡି।‌ ଅରୁଣଙ୍କ ଗଡ଼ରେ ତାଙ୍କୁ ଟକ୍କର ଦେବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ନିଶ୍ଚିତ ଭାବେ କାଠିକାର ପାଠ ହେବ । କାରଣ ଗତ ବିଧାନସଭା ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଇରାନୀ ରାୟ ୬୬ ହଜାରରୁ ଅଧିକ ଭୋଟ ପାଇ ଅରୁଣଙ୍କ ଠାରୁ ପରାସ୍ତ ହୋଇଥିଲେ । ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ବିଜେପି ଏହି ଆସନରୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏପଟେ ଇରାନୀ ସଂଗଠନ ସହ ବିଜେଡିରେ ସାମିଲ ହୋଇଛନ୍ତି। ନୟାଗଡ଼ ଆସନରେ ଇରାନୀଙ୍କର ଏକ ବଡ଼ ସଂଗଠନ ରହିଥିବାରୁ ସେ ନିଶ୍ଚିତ ଭାବେ ବିଜେପି ପାଇଁ କାଳ ସାଜିବାର ସମ୍ଭାବନା ରହିଛି ।

ବିଜୁ ଜନତା ଦଳର ଅନ୍ୟତମ ପାଓ୍ବାରଫୁଲ ତଥା ଚର୍ଚ୍ଚିତ ଚେହେରା ଅରୁଣ କୁମାର ସାହୁ । ଯେଉଁକିଛି ଜଣ ନେତା ବିଜେଡିର ରାଜନନୈତିକ ପଟ୍ଟଚିତ୍ରର ପ୍ରଚ୍ଛଦପଟ୍ଟରେ ଗୋଟି ଚଳାଇ ଦଳକୁ ସୁଦୃଢ କରିବାରେ ମୁଖ୍ୟ ଭୁମିକା ନିଭାଉଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଲେ ନୟାଗଡ଼ର ତରୁଣ ଅରୁଣ । ସୁଦୃଢ ସଂଗଠକ ଓ ପୋଖତ ରାଜନେତା ଭାବେ ଖାଲି ନୟାଗଡ଼ ନୁହେଁ ସାରା ରାଜ୍ଯରେ ପରିଚିତ ରାଜନେତା ହେଉଛନ୍ତି ଅରୁଣ ସାହୁ । ମଇଦାନରେ ବିରୋଧୀଙ୍କୁ ପାଣି ପିଆଇବା ଏବଂ ବିରୋଧୀଙ୍କ ଗଡ଼ ଭାଙ୍ଗିବାରେ ଅରୁଣ ସିଦ୍ଧହସ୍ତ । ଖାଲି ଜଣେ ପୋଖତ ରାଜନେତା ନୁହଁନ୍ତି ଶୃଙ୍ଖଳିତ କର୍ମୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସଭାଜନ ହେବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ।

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଅରୁଣଙ୍କ ମଧ୍ୟରେ ନେତୃତ୍ବ ନେବାର ଦକ୍ଷତା ପିଲାଟି ବେଳରୁ ହିଁ ପ୍ରତିଫଳିତ ହୋଇଥିଲା । ଛାତ୍ର ଜୀବନରୁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଅରୁଣ । ଜଣେ ଛାତ୍ରନେତା ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ ଥିଲେ । ବାଣୀବିହାର ରାଜନୀତିରେ ଅରୁଣଙ୍କ ଦବଦବା ପ୍ରତିଟି ଛାତ୍ରଙ୍କୁ ଅଛପା ନାହିଁ । ବଡ଼କଥା ହେଲା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପାଓ୍ବାର ହାଉସ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଅରୁଣଙ୍କ ସହପାଠୀ ଥିଲେ । ଏବଂ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନରେ ଅରୁଣଙ୍କଠାରୁ ଧର୍ମେନ୍ଦ୍ର ପରାଜିତ ହୋଇଥିଲେ । ଧର୍ମେନ୍ଦ୍ରଙ୍କୁ ହରାଇ ଅରୁଣ ବନିଥିଲେ ବାଣୀବିହାର ଛାତ୍ର ସଂସଦ ସଭାପତି । ଅରୁଣ ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୯୦ରେ ଏମ.ଏ. ପାସ୍ କରିବା ପରେ ୧୯୯୩ରେ ବାଣୀବିହାର ଲ’ କଲେଜରୁ ଏଲ.ଏଲ ବି କରିଥିଲେ । ୨୦୧୩ ମସିହାରେ ସମ୍ମାନଜନକ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ଯେଉଁ ଛାତ୍ରନେତାମାନେ ରାଜନୀତିକୁ ବାଣୀବିହାର କ୍ୟାମ୍ପସରୁ ଆସନ୍ତି ସେମାନେ ଅରୁଣଙ୍କୁ ହିଁ ମାର୍ଗଦର୍ଶକ ଭାବେ ଆପଣାଇନିଅନ୍ତି ।

ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ୨୦୦୪ ମସିହାରେ ଏଣ୍ଟ୍ରି କରିଥିଲେ ଅରୁଣ । ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ଟିକେଟରେ ୨୦୦୪ ମସିହାରେ ନିର୍ବାଚିତ ହୋଇ ପ୍ରଥମଥର ବିଧାୟକ ଭାବରେ ବିଧାନସଭାରେ ପାଦ ଦେଇଥିଲେ । ଆଉ ସେବେଠୁ ସେ ବନିଯାଇଛନ୍ତି ଅନ ବିଟେବୁଲ ପଲିଟିସିଆନ୍ । ୨୦୦୯ରେ ସ୍ବାଧୀନପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କୁ ୨୭,୩୪୧ ଖଣ୍ଡ ଭୋଟରେ ପରାଜିତ କରିଥିଲେ ଅରୁଣ । ପରେ ୨୦୧୪ ମସିହାରେ କଂଗ୍ରେସର ଲାଲା ମନୋଜ କୁମାର ରାୟଙ୍କୁ ୨୦, ୮୬୭ ଓ ୨୦୧୯ରେ ଇରାନୀ ରାୟଙ୍କୁ ୧୪୯୪୮ ଖଣ୍ଡ ଭୋଟରେ ପରାଜିତ କରି ନୟାଗଡ଼ର ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବାସ ଜିତିବା ସହିତ ବିଜେଡିର ଗୁଡବୁକରେ ଅରୁଣ ସବୁବେଳେ ରହିଆସିଛନ୍ତି । ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଆଇନ, ପଞ୍ଚାୟତିରାଜ, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଗୁରୁଦାୟିତ୍ବ ଅରୁଣଙ୍କୁ ଦେଇଥିଲେ ନବୀନ ।

ଅରୁଣଙ୍କ ସମୟରେ ବିକାଶର ନୂଆ ଦିଗନ୍ତ ଛୁଇଁଛି ନୟାଗଡ଼ । ଲୋକଙ୍କ ମୌଳିକ ସୁବିଧାକୁ ଗୁରୁତ୍ବ ଦେଇ ଜନତାଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି ଡ. ଅରୁଣ କୁମାର ସାହୁ । ଖାଲି ଜଣେ ରାଜନେତା ନୁହେଁ ସାହିତ୍ୟ ଅନୁରାଗୀ ଭାବରେ ଅରୁଣ ବେଶ୍ ଜଣାଶୁଣା । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଅରୁଣ ବାପୁଜୀଙ୍କ ଦର୍ଶନକୁ ପ୍ରଚାରିତ ଓ ପ୍ରସାରିତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ସାହିତ୍ୟ ଜଗତର ଏକ ଉଜ୍ବଳ ତାରା ଭାବେ ଅରୁଣଙ୍କ ଦକ୍ଷତା କିଛି କମ ନୁହେଁ । ସେ ଓଡ଼ିଶା ରାଜନୀତିର ପ୍ରମୁଖ ବ୍ୟକ୍ତିତ୍ବ ଭାବରେ ଯେତିକି ପରିଗଣିତ ଜଣେ ସାହିତ୍ୟିକ ଓ ସଂଗଠକ ଭାବରେ ସେତିକି ଜଣାଶୁଣା । ଅରୁଣ ଜଣେ ଜଣେ କ୍ରୀଡ଼ା ମଧ୍ୟ । ତାଙ୍କ ଚାଲିଚଳନ, ଖାଦ୍ୟପେୟ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ଅତିସାଧାରଣ ଜୀବନଯାପନ ଶୈଳୀ ପାଇଁ ଅନେକ ସମୟରେ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି ଅରୁଣ । ତାଙ୍କ ପ୍ରତିଭା ଆଜି ତାଙ୍କୁ ଓଡ଼ିଶାର ଯୁବପିଢିଙ୍କ ପାଇଁ ପ୍ରେରଣା ଭାବେ ପ୍ରତିବିମ୍ବିତ କରୁଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!