ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି । ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ । କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଲଢ଼ିପାରନ୍ତି ବୋଲି କିଛିଦିନ ତଳେ ଚର୍ଚ୍ଚା ହେଉଥିଲା। କଣ୍ଟାବାଞ୍ଜିରୁ ନବୀନ ପ୍ରାର୍ଥୀ ହୋଇ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଅନ୍ୟପକ୍ଷରେ କିଛି ଦିନ ତଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ଏହା ସହ ଦଳ ତାଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରିବ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା। ଗଣିତ ନ ଛିଡ଼ିବାରୁ ସନ୍ତୋଷ ସିଂହ ସାଲୁଜା ବିଜେଡିରେ ସାମିଲ ହୋଇନଥିଲେ। ଏସବୁ ଭିତରେ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

