ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ହ୍ୟାଟ୍ରିକ ଆଶାରେ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ଏହା ଏକ ପ୍ରମୁଖ ଲଢ଼େଇ ରହିବ। କଂଗ୍ରେସ ମଧ୍ୟ ନିଜର ଟାଣୁଆ ନେତା ଅମୀୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।
ଗତ ୩ଟି ପାଳିରେ ବିଜେଡି କ୍ଷମତାରେ ରହିଆସିଛି ଚାନ୍ଦବାଲି। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏ ଆସନରୁ ବିଜେଡି ପ୍ରାର୍ଥୀ ବିଜୟ ନାୟକ ଜିତିଥିଲେ। କିନ୍ତୁ ଏହାପାର ପାଳିରେ ବିଜୟଙ୍କୁ ଆଉ ଟିକଟ ଦେଇ ନ ଥିଲା ବିଜେଡି। ୨୦୧୪ରେ ଦଳର ପ୍ରାର୍ଥୀ ହୋଇଥିଲେ ବ୍ୟୋମକେଶ। ସେ ଏଠାରୁ ଲଗାତର ଦୁଇ ଥର ଜିତିଲେଣି। ପୂର୍ବ ନିର୍ବାଚନଗୁଡ଼ିକରେ ବ୍ୟୋମକେଶଙ୍କ ବିଜୟ ବ୍ୟବଧାନ ବହୁତ ଅଧିକ ନଥିଲେ ମଧ୍ୟ ସେ ଗଡ଼ ବଞ୍ଚାଇବାରେ ସଫଳ ହୋଇଥିଲେ। ଏଥର ବିକାଶମୂଳକ କାର୍ଯ୍ୟର ଚିଠା ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ବ୍ୟୋମକେଶ। ଗମନାଗମନ, ବିଜୁଳି ଓ ସ୍ଵାସ୍ଥ୍ୟସେବାରେ ବିକାଶକୁ ନେଇ ବିଜେଡି ସପକ୍ଷରେ ଭୋଟର ମତ ଦେବେ ବୋଲି ସେ ଆଶା ରଖିଛନ୍ତି।
୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ନାୟକଙ୍କୁ ମିଳିଥିଲା ୫୮,୪୬୭ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ରଙ୍କୁ ୫୦,୮୫୪ ଓ ବିଜେପିର ପୂର୍ଣ୍ଣ ଚନ୍ଦ୍ର ପାଣିଙ୍କୁ ମିଳିଥିଲା ୧୪,୭୮୪ଟି ଭୋଟ। ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୬୮,୫୫୭ ଭୋଟ, କଂଗ୍ରେସ ପ୍ରାର୍ଥୀ ଅମୀୟ ୪୩,୬୭୪ ଭୋଟ୍ ପାଇଥିଲେ। ଧାମନଗର ସଂରକ୍ଷିତ ଆସନ ହେବାରୁ ମନମୋହନ ଏଠାରୁ ପ୍ରାର୍ଥୀ ହୋଇଥିଲେ। ହେଲେ ୩୮,୯୫୨ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ ୨୦୧୯ରେ ବ୍ୟୋମକେଶଙ୍କୁ ଭଲ ଟକ୍କର ଦେଇଥିଲେ ମନମୋହନ। ଏହି ନିର୍ବାଚନରେ ବ୍ୟୋମକେଶ ୭୭,୩୧୩ ଭୋଟ ପାଇଥିବାବେଳେ ମନମୋହନ ୬୮,୯୭୬ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଦିଗାମ୍ବର ଦାସ ୩୦,୦୭୭ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଏଥର ଚାନ୍ଦବାଲିରେ କଡ଼ା ଟକ୍କର ହେବାର ସମ୍ଭାବନା ଥିବାରୁ ଯିଏ ବି ଜିତିଲେ ଭୋଟ ବ୍ୟବଧାନ ବେଶି ରହିବ ନାହିଁ ବୋଲି କୁହାଯାଉଛି। ବ୍ୟୋମକେଶ ଏଠାରୁ ଦୁଇଥର ପ୍ରାର୍ଥୀ ହୋଇଥିବାରୁ ତାଙ୍କର ନିର୍ବାଚନ ପରିଚାଳନା କରିବାର ଭଲ ଅଭିଜ୍ଞତା ରହିଛି। କିନ୍ତୁ ବିଜେପିର ରାଜ୍ୟ ସଭାପତି ଏଠାରୁ ପ୍ରାର୍ଥୀ ହୋଇଥିବାରୁ ଭୋଟର ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। କଂଗ୍ରେସ ପ୍ରାର୍ଥୀ ମଧ୍ୟ ନିଜର ଭୋଟ୍ ସୁରକ୍ଷିତ ରଖିବାର ସମ୍ଭାବନା ଥିବାରୁ ବ୍ୟବଧାନ ସେତେ ଅଧିକ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।ଚାନ୍ଦବାଲି ଆସନରେ ଜିତିବା ମନମୋହନଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଖାଲି ସେତିକି ନୁହେଁ ବିଜେପିର ସର୍ବାଧିକ ଫୋକସରେ ଥିବା ଏ ଆସନ ହାତେଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ମନମୋହନ। ଚାନ୍ଦବାଲିରେ ଏଥର ସମ୍ମାନର ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ। ଏଠାରେ ବିଜୟ ବ୍ୟବଧାନ ବହୁତ ଅଧିକ ନହୋଇ ଶେଷ ପର୍ଯ୍ୟାୟ ଭୋଟ ଗଣତି ଉପରେ ଫଳାଫଳ ନିର୍ଭର କରିବ ବୋଲି ଆଶା କରାଯାଉଛି।

