ଭୁବନେଶ୍ୱରର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କହି ବିଜେଡି ନିଜର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ୬ମାସ ବୁଲାଇ ଶେଷରେ ହତାଦର କରିଛି । ଆଜି ଭୋଗରାଇ ସମେତ ଖୋର୍ଦ୍ଧା ଓ ବେଗୁନିଆ ପାଇଁ ବିଜେଡି ନିଜର ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରେ ଶ୍ରୀମୟୀଙ୍କୁ ଚଳିତ ନିର୍ବାଚନରେ ଦଳ କେଉଁଠି ବି ପ୍ରାର୍ଥୀ କରୁନଥିବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି ।
ଦଳର ମହିଳା ଚେହେରା ଭାବେ ପରିଚିତ ଶ୍ରୀମୟୀଙ୍କୁ ବିଜେଡି ହତାଦର କରିଥିଲେ ମଧ୍ୟ ସେ ବିଜେପି ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ଆଜି ନିଜର ବାକିଥିବା ୧୫ରୁ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି, ମାତ୍ର ବେଗୁନିଆ ଆସନରେ କାହାରିକୁ ପ୍ରାର୍ଥୀ କରିନଥିବାରୁ ଶ୍ରୀମୟୀଙ୍କ ପାଇଁ ଏହି ଆସନକୁ ଦଳ ଖାଲି ରଖିଥିବା ଚର୍ଚ୍ଚାକୁ ଅଧିକ ବଳ ମିଳିଛି ।
ବେଗୁନିଆ ଆସନରୁ ବିଜେପି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଶ୍ରୀମୟୀ ପୂର୍ବରୁ ସେଠାରେ ବୁଲି ନିଜର ସଂଗଠନ କରିବା ସହ ବିଜେଡିର ମହିଳା ଭୋଟବ୍ୟାଙ୍କ(ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଏସଏଚଜି ଭୋଟ୍ ପରିଚାଳନା କରିଛନ୍ତି)କୁ ଛିଦ୍ର ବି କରିପାରିବେ ବୋଲି ବିଜେପି ଅନୁଭବ କରୁଛି । ତେଣୁ ବିଜେପି ଏବେ ତାଙ୍କ ସହ ଯୋଗସୂତ୍ରରେ ରହି ବେଗୁନିଆ ଟିକେଟ୍ ଅଫର କରିଥିବା ଚର୍ଚ୍ଚା ହେଉଛି । ଶ୍ରୀମୟୀଙ୍କର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମହିଳା ଭୋଟବ୍ୟାଙ୍କ ଉପରେ ପ୍ରଭାବ ଥିବା ଏବଂ ବିଜେଡି ତାଙ୍କୁ ଟିକେଟ୍ ଦେବ କହି ବୁଲାଇ ପରେ ଭଣ୍ଡେଇବା ଘଟଣାକୁୁ ବିଜେପି ଜୋରସୋରରେ ଉଠାଇ ସାଧାରଣ ଭୋଟରଙ୍କଠୁ ସହାନୁଭୂତି ସାଉଁଟିବାର ସମ୍ଭାବନା ରହିଛି ।
ଏସବୁ କାରଣରୁ ବିଜେପି ଏବେ ନିଜର ବେଗୁନିଆ ଆସନକୁ ଖାଲି ରଖିଛି ।
ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ତେଣୁ ବେଗୁନିଆ ଆସନରୁ ବିଜେପି ଉଭୟ ଶ୍ରୀମୟୀ କିମ୍ବା ପାଟ୍ଟଶାଣୀଙ୍କ ମଧ୍ୟରୁ କାହାରି ଜଣଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ରହିଛି । ଯଦିଓ ଏହି ଦୁଇନେତା ଏବେବି ବିଜେଡିରେ ଅଛନ୍ତି ।
ସେହିପରି ବିଜେପି ଏପର୍ଯ୍ୟନ୍ତ ଘସିପୁରା ଆସନରେ କାହାରିକୁ ପ୍ରାର୍ଥୀ କରିନି । ଦଳ ସେଠାରୁ ବିଜେଡିର ବହିଷ୍କୃତ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ୍ ଦେବାର ସମ୍ଭାବନା ରହିଛି ।

