ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ହାଜର ହାଜର ସଂଖ୍ୟାର କର୍ମୀ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କରିବେ।
ରାଜଭବନରେ ରାତ୍ରି ଯାପନ କରିବେ ମୋଦି। ୬ ତାରିଖ ସକାଳେ ବ୍ରହ୍ମପୁର ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ। ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ ମୋଦି। ଏହାପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।
ମୋଦି ଗସ୍ତ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୩ ଜଣ ଡିସିପି, ୧୦ ଜଣ ଏସିପି, ୧୭ ଜଣଆଇଆଇସି, ୯୦ ଏସ୍ଆଇ/ଏଏସ୍ଆଇ ଅଛନ୍ତି। ଏହାସହ CISF ସହ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।
ସେହିପରି ଆଜିଠୁ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ସେ ଆଜି ଭୁବନେଶ୍ୱରରେ ବିଭିନ୍ନ ଖବରକାଗଜର ଏଡିଟରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବୈଦେଶିକ ମନ୍ତ୍ରୀ ବୁଦ୍ଧିଜୀବୀଙ୍କ ଭେଟିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

