ଅନୁଗୁଳ ଏବଂ କଟକରେ ଜନସଭା କରି ବିଜେଡି ସରକାର ଉପରେ ମୋଦୀ ବର୍ଷିବା ପରେ ମାହାଙ୍ଗାରେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ପାଣ୍ଡିଆନ୍ କହିଛନ୍ତି, ଓଡିଶାରେ ନବୀନ ବାବୁଙ୍କ ସରକାର ସ୍ଲୋ ସରକାର ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି, ହେଲେ ସମ୍ବଲପୁର-କଟକ ଏନଏଚ୍- ୫୫ର ମରାମତି କାମ ୮ ବର୍ଷ ହେଲା ଚାଲୁଛି, ପ୍ରତିଦିନ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହା କଣ ଆପଣଙ୍କ ସ୍ପିଡ୍ କାମ? ତା ସହିତ କୋଷ୍ଟାଲ ହାଇୱେ କରିବେ କହିକି, ୧୦ ବର୍ଷ ହେଲା କେନ୍ଦ୍ର ସରକାର ଗୋଟିଏ ଇଟା ବି ପକେଇନାହାଁନ୍ତି ।
ତା ସହିତ ସବୁ ରାଜ୍ୟରେ କ୍ୟାପିଟାଲ ରିଙ୍ଗ୍ ରୋଡ୍ କରୁଛନ୍ତି, ହେଲେ ଭୁବନେଶ୍ୱରରେ କ୍ୟାପିଟାଲ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାର ଗୋଟିଏ ବି ଇଟା ପକାଇନାହାଁନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ ।ଅନ୍ୟପଟେ ମୋଦୀ କହୁଛନ୍ତି ଓଡିଶାରେ ସ୍ୱଚ୍ଛତାର ଶାସନ ଚାଲୁନି, ହେଲେ ମୋଦୀ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଲୋକସଭାରେ ପ୍ରଂଶସା କରିଥିଲେ । ହେଲେ ଆଜି ନିର୍ବାଚନ ଆସିବାରୁ ସେ ଏପରି କହୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି । ଅନ୍ୟପଟେ ଖଣିରୁ ଓଡିଶାକୁ ୫ ହଜାର ଟଙ୍କା ଆସିଥିଲା, ହେଲେ ନବୀନ ବାବୁଙ୍କ ସ୍ୱଚ୍ଛତା କାରଣରୁ ଏବେ ଏହା ୫୦ ହଜାର କୋଟିରେ ପହଞ୍ଚିଛି ବୋଲି ପାଣ୍ଡିଆନ୍ କହିଛନ୍ତି ।
ଶେଷରେ ପ୍ରଧାନମନ୍ତ୍ରୀ ଯଦି ପାରୁଛନ୍ତି ନବୀନ ବାବୁ ତାଙ୍କୁ ଶପଥ ନେବା ଦିନ ୩ଟି ଗିଫ୍ଟ ଦେବାକୁ କହିଛନ୍ତି ପାଣ୍ଡିଆନ୍ । ପ୍ରଥମରେ ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ୩୧୦୦ ଟଙ୍କା ଏମଏସପି ଦିଅନ୍ତୁ, ଦ୍ୱିତୀୟରେ କୋଇଲା ରୟାଲଟି ଡବଲ ଏବଂ ତୃତୀୟରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିଛନ୍ତି ପାଣ୍ଡିଆନ୍ ।

