ବିଜେଡିର ଗଡ଼ ହିନ୍ଦୋଳ । ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି । ୨୦୦୦ ମହିସାରେ ଲଗାତାର ଏହି ଆସନରେ ବିଜେଡି ବିଜୟୀ ହେଉଛି । ଏଥର ବି ଦଳ ଏଠାରେ ବଡ ବ୍ୟବଧାନରେ ବିଜୟୀ ହେବାକୁ ଆଶା ରଖିଛି । କାରଣ ମଧ୍ୟ ଓଡିଶାର ହେଭିଓ୍ବେଟ ଓ ଉଭୟ ଢେଙ୍କାନାଳ ଓ ଅନୁଗୁଳ ରାଜନୀତିରେ ପତିଆରା ରଖିଥିବା ମହେଶ ସାହୁଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି । ମହେଶଙ୍କ ପ୍ରତି ସାରା ଜିଲ୍ଲାବାସୀଙ୍କ ଭଲପାଇବା ଥିବାବେଳେ ହିନ୍ଦୋଳରେ ମଧ୍ୟ ସେ ବିଜୟ ବାନା ଉଡ଼ାଇବା ଆଶା କରାଯାଉଛି । ଅନ୍ୟପଟେ ବିଜେଡି ଟିକେଟରୁ ବଞ୍ଜିତ ହୋଇଥିବା ବିଧାୟିକା ସୀମାରାଣୀ ନାୟକ ଭାଜପା ଟିକେଟରେ ମଇଦାନରେ ଲଢେଇ କରୁଛନ୍ତି । ଫଳରେ ହିନ୍ଦୋଳ ରାଜନୀତିରେ ଉଷ୍ମତା ଅଧିକ ବଢ଼ିଯାଇଛି। ଏଠାରେ ଲଢ଼େଇ ବେଶ୍ ରୋଚକ ହେବ ବୋଲି ଆଲୋଚନା ହେଉଛି।
ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ୨୦୦୦ ମସିହାରୁ ବିଜେଡିର ଗଡ଼ ଭାବେ ରହିଆସିଛି। ୨୦୦୦ରୁ ୨୦୦୯ ଯାଏ ଏଠାରୁ ବିଜେଡିର ଅଞ୍ଜଳି ବେହେରା ବିଜୟୀ ହୋଇଥିଲେ। ସେ ରାଜ୍ୟ ସରକାରରେ ମନ୍ତ୍ରୀ ପଦରେ ରହିଥିଲେ। ସେହିପରି ସୀମାରାଣୀ ନାୟକ ୨୦୧୪ ଓ ୨୦୧୯ ନିର୍ବାଚନରେ ହିନ୍ଦୋଳରୁ ବିଜେଡି ବିଧାୟିକା ହୋଇଥିଲେ। ୨୦୨୪ରେ ମଧ୍ୟ ସୀମାରାଣୀ ବିଜେଡି ଟିକେଟ୍ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଥିଲେ। ଭାଜପା ତାଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କୁ ବିଜେଡି ହିନ୍ଦୋଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଫଳରେ ବିଜେଡି ନିଜ ଗଡ଼ ରକ୍ଷା ପାଇଁ ଏଠାରେ ଉଦ୍ୟମ କରୁଛି । ମହେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଚାଲୁଥିବା ପ୍ରଗତିର ଧାରାକୁ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବଜାୟ ରଖିବା ମୁଖ୍ୟ ପ୍ରସଙ୍ଗ କରାଯିବ। ଅପହଞ୍ଚ ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦିଆଯିବ। କଳ କାରଖାନାର ସିଏସ୍ଆର୍ କାର୍ଯ୍ୟ ଓ ଥଇଥାନ ପ୍ରତି ଗୁରୁତ୍ୱ ଦିଆଯିିବ।
ମହେଶ ସାହୁ ହେଉଛନ୍ତି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଜଣେ ଚର୍ଚ୍ଚିତ ରାଜନେତା । ଉଭୟ ଜିଲ୍ଲାରେ ତାଙ୍କର ଗ୍ରହଣୀୟତା ମଧ୍ୟ ରହିଛି । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ନିର୍ବାଚନ ଲଢି ବିଜୟୀ ହେବା ସହ ତାଙ୍କର ଗ୍ରହଣୀୟତା ସେ ପ୍ରତିପାଦିତ କରିଛନ୍ତି । ପୂର୍ବରୁ ତାଳଚେର ଓ ପାଲଲହରା ଆସନରୁ ବି ସେ ବିଜୟୀ ହୋଇଛନ୍ତି । 2019 ମସିହାରେ ମହେଶଙ୍କୁ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କରିିଥିବା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଲୋକସଭାରୁ ଲଢି ମହେଶ ବିଜୟୀ ହୋଇଥିଲେ । ମହେଶ ସାହୁଙ୍କୁ ସର୍ବାଧିକ ୫,୨୨,୮୮୪ ଖଣ୍ଡ ଭୋଟ ମିଳିଥିଲା। ରୁଦ୍ର ୪,୮୭,୪୭୨ ଖଣ୍ଡ ଭୋଟ ପାଇଁ କଡ଼ା ମୁକାବିଲା କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି.ଙ୍କୁ ମାତ୍ର ୮୦,୩୪୯ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ୪୬ ପ୍ରତିଶତ ଭୋଟ ପାଇଥିଲାବେଳେ ବିଜେପି ୪୩ ପ୍ରତିଶତ ଭୋଟ ଟାଣିଥିଲା।
ଏଥର ବି ମହେଶଙ୍କ ନିର୍ବାଚନମଣ୍ଡଳୀ ବଦଳିଛି । ହେଲେ ତାଙ୍କର ବିଜୟ ଏକପ୍ରକାର ପକ୍କା ବୋଲି ସମର୍ଥକ ଚର୍ଚ୍ଚା କରୁଛନ୍ତି । ବିଜେଡିର କହିବା ଅନୁସାରେ ହିନ୍ଦୋଳ ବାସିନ୍ଦା ବିଜେଡି ସହଗତ 24 ବର୍ଷ ହେଲା ରହିଛନ୍ତି । ବିଜେଡି ପ୍ରତି ତାଙ୍କର ଭଲପାଇବା ରହିଛି । ଏଣୁ ଏଥର ବି ସେମାନେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ।

