ରାଜ୍ୟସଭାରେ ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟ । ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ଗୃହରେ ସୁଲତା କହିଛନ୍ତି, ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରରେ ସ୍ଥିର ଓ ବହୁମତର ସରକାର ଚାଲିଛି । କିନ୍ତୁ ବାସ୍ତବରେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି । ରାଷ୍ଟ୍ରପତି ବୋଧେ ନିର୍ବାଚନ ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ପାଇନାହାନ୍ତି ।
ଏହାସହ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ସୁଲତା ଦେଓ । ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ପ୍ରଧାନମନ୍ତ୍ରୀ ନିଜ ଗାରିମା ଭୁଲି ଯାଇଥିଲେ ।
ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବିଜେପି ସରକାର ଆସିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରିବାକୁ କହିଥିଲେ । ରାଜ୍ୟରେ ବିଜେପି ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦୀ ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।
ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଛି । କିନ୍ତୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ଚାବି ସୁରକ୍ଷିତ ଅଛି । ତାହେଲେ ନିର୍ବାଚନ ବେଳେ ଏମିତି ମିଛ କାହିଁକି କହୁଥିଲେ ।
ଏଥିପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଉଚିତ । ବିଜେପି ସରକାରକୁ ଆସିଲେ ୬ ଦିନରେ ରତ୍ନଭଣ୍ଡାର ଖୋଲିବାକୁ କହିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲାନି । ଏହା କଣ ଜୁମଲା ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।

