ନବଗଠିତ ବିଜେପି ସରକାରର ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୨୫ ତାରିଖରେ ରାଜ୍ୟ ବଜେଟ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକରେ କୃଷି, ଜଳସମ୍ପଦ, ଯୋଜନା ଓ ସଂଯୋଜନ, ଆଇନ, ପୂର୍ତ୍ତ ବିଭାଗ ସମ୍ପର୍କିତ କେତେଗୁଡ଼ିଏ ନିଷ୍ପତ୍ତି ନିଆଯାଇପାରେ।
ସେହିପରି ଗତ ଜୁନ୍ ୧୯ ତାରିଖରେ ହାଇକୋର୍ଟରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରିବା ନେଇ ସତ୍ୟପାଠ ଦାଖଲ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ଆସନ୍ତାକାଲିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।
ଅପରପକ୍ଷେ ଗତ ଜୁନ୍ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ରାଜ୍ୟରେ ସମୃଦ୍ଧ କୃଷକ ନୀତି ଅଧିନରେ ଧାନର ଏମଏସପି ୩୧୦୦ଟଙ୍କାକୁ ବୃଦ୍ଧି ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିର ବର୍ତ୍ତମାନର ସ୍ଥିତି ଏବଂ ଏହାକୁ କିପରି ସୁରୁଖୁରୁରେ କାର୍ଯ୍ୟକାରୀ କରାଯାଉଛି କିମ୍ବା କରାଯିବ, ସେନେଇ ବୈଠକରେ ଆଲୋଚନା ହେବ। ସେହିପରି ମୋହନ ସରକାର ନିଜର ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

