ଜାଭଲିନରେ ପ୍ରଥମ ରୌପ୍ୟ ଜିତିଲେ ନୀରଜ

ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଅନ୍ୟପକ୍ଷେ ପାକିସ୍ତାନର ଅର୍ଶଦ ନଦିମ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଛନ୍ତି ।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହା ସେତେବେଳେ ଥିଲା ତାଙ୍କର ସିଜନ ଶ୍ରେଷ୍ଠ। ମନୁ ଭାକର ୨ଟି ବ୍ରୋଞ୍ଜ, ସ୍ବପ୍ନିଲ କୁଶାଲେ ଓ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାପରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ଏହି ଜାଭେଲିନ ଷ୍ଟାର। ପାକିସ୍ତାନର ଅର୍ଶଦ ନଦିମ ପ୍ରଥମେ ଫାଉଲ କରିଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଲିମ୍ପିକ୍‌ ରେକର୍ଡ ୯୨.୯୭ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୂର୍ବରୁ ତାଙ୍କର ଅଲିମ୍ପିକ୍‌ ରେକର୍ଡ ଥିଲା ୯୦.୫୭ ମିଟର।

ଦେଶ ପାଇଁ ପ୍ରଥମ ରୌପ୍ୟ ଜିତିଥିବାରୁ ନୀରଜଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏକ୍ସ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲିମ୍ପିକ୍ସରେ ବ୍ୟାକ୍ ଟୁ ବ୍ୟାକ୍ ପଦକ ଜିତିବାର ଐତିହାସିକ କୀତ୍ତିମାନ ଦେଶର ବିଭିନ୍ନ କ୍ରୀଡ଼ାବିତ୍ତ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ତୁମ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ଏବଂ ଦେଶ ପାଇଁ ଆହୁରି ଗୌରବ ଆଣନ୍ତୁ ବୋଲି ନବୀନ ଲେଖିଛନ୍ତି ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!