ଭାରତୀୟ ହକି ଦଳ ବୁଧବାର ନେଦରଲାଣ୍ଡସ୍ର ଆମ୍ସଟଲଭେନ୍ ଷ୍ଟାଡିୟମରେ ବିଶ୍ବକପ୍ ୨୦୨୬ର ପୁଲ-ଡି ମୁକାବିଲାରେ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି। ଭାରତ ଏବଂ ପାକିସ୍ତାନ ଟିମ୍ ମଧ୍ୟରେ ୧୬ ବର୍ଷର ଅପେକ୍ଷା ପରେ ବିଶ୍ବକପ୍ ମ୍ୟାଚ୍ ଖେଳାଯାଇଛି। ଉଭୟଙ୍କ ମଧ୍ୟରେ ୨୦୧୦ରେ ବିଶ୍ବକପ୍ରେ ମୁକାବିଲା ହୋଇଥିଲା। ସେହି ମ୍ୟାଚ୍ରେ ଭାରତ ୪-୧ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲ। ଏବେ ପୁଣି ପାକିସ୍ତାନକୁ ଭାରତ ପରାସ୍ତ କରି କୋଟିକୋଟି ଭାରତୀୟ ହକିପ୍ରେମୀଙ୍କ ହୃଦୟ ଜିତିଛନ୍ତି ଆମ ଖେଳାଳି। ଏହି ବିଜୟ ସହିତ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନର ବିଦାୟ ହୋଇଛି।
ମ୍ୟାଚ୍ର ଆରମ୍ଭରୁ ଭାରତର ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରଥମ କ୍ବାର୍ଟରରେ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ ସିଂହ (୫ମିନିଟ୍) ଏବଂ ଅଭିଷେକ (୧୧ମିନିଟ୍)ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଏହା ପରେ ଦ୍ବିତୀୟ କ୍ବାର୍ଟରରେ କଡ଼ାମୁକାବିଲା ହୋଇଥିଲା। ପାକିସ୍ତାନୀ ଦଳ ଭାରତ ଉପରେ ୨ଟି ଗୋଲ୍ ଦେଇଥିଲା। ଭାରତ ମଧ୍ୟ ପାକିସ୍ତାନ ଉପରେ ୨ଟି ଗୋଲ୍ ଦେଇଥିଲା। ୨୧ମିନିଟ୍ରେ ହରମନପ୍ରୀତ ଏବଂ ୨୪ମିନିଟ୍ରେ ଅଭିଷେକ ଗୋଲ୍ ମାରିଥିଲେ। ପାକିସ୍ତାନ ପାଇଁ ହନ୍ନାନ ଶାହିଦ (୨୨ମିନିଟ୍) ଏବଂ ସୁଫିୟାନ ଖାନ (୨୫ମିନିଟ୍) ଗୋଲ୍ ଦେଇଥିଲେ। ପାକିସ୍ତାନ ପାଇଁ ହନ୍ନାନ ଖାତା ଖୋଲିଥିଲେ। ମ୍ୟାଚ୍ରେ ମୋଟ ୪ଗ୍ରିନ କାର୍ଡ ଦିଆଯାଇଥିଲା। ଏଥିରେ ୨ଟି ଭାରତ ପାଇଁ ଥିଲା। ବାକି ୨ଟି ପାକିସ୍ତାନ ପାଇଁ ଥିଲା। ଗୋଟିଏ ହଳଦିଆ କାର୍ଡ ଭାରତର ଆଦିତ୍ୟ ଅର୍ଜୁନଙ୍କୁ ମିଳିଥିଲା।
ଦୁଇଟି କ୍ବାର୍ଟର ମ୍ୟାଚ୍ ଶେଷ ହେଲା ପରେ ଭାରତ ୪-୨ରେ ଅଗ୍ରଣୀଲାଭ କରିଥିଲା। ଏହି ସମୟରେ ପାକିସ୍ତାନକୁ ଭଲ ପ୍ରଦର୍ଶନ କରି ଗୋଲ୍ ମାରିବାର ଥିଲା। କିନ୍ତୁ ତୃତୀୟ କ୍ବାର୍ଟରରେ ଦଳର ପ୍ରଭାବ ନିଷ୍କ୍ରିୟ ହୋଇଯାଇଥିଲା। ପାକିସ୍ତାନର ଖେଳାଳି କୌଣସି ଗୋଲ୍ ଦେଇପାରି ନଥିଲେ। କିନ୍ତୁ ଭାରତ ଏକ ଗୋଲ୍ ଦେଇ ହାର୍ଦ୍ଦିକ ସିଂହ ୩୫ମିନିଟରେ ପେନାଲ୍ଟି କର୍ଣ୍ଣରରେ ଗୋଲ୍ ମାରିଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଭାରତ ୫-୩ ଗୋଲ୍ରେ ଅଗ୍ରଣୀ ଲାଭ କରିଥିଲା। ଚତୁର୍ଥ ତଥା ଅନ୍ତିମ କ୍ବାର୍ଟରରେ ପାକିସ୍ତାନ ଗୋଟିଏ ଗୋଲ ଦେଇଥିଲା। ଶାହିଦ ହନ୍ନାନଙ୍କର ଉଦ୍ୟମରେ ଏହା ହୋଇପାରିଥିଲା। ସେ ୪୬ମିନିଟରେ ଗୋଲ୍ ମାରିଥିଲେ। କିନ୍ତୁ ସେତେବେଳକୁ ଦଳ ହାରି ସାରିଥିଲା।

