ଓଡ଼ିଶାକୁ ମିଳିଲା ରେଳବାଇର ୩ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ

ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ କରିବାକୁ କେନ୍ଦ୍ର କ୍ୟାବିନେଟ ୩ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛି। ତୃତୀୟ ଓ ୪ର୍ଥ ରେଳପଥ ନିର୍ମାଣ କରାଯିବ। ଏହା ଲାଇନ କ୍ଷମତା ବୃଦ୍ଧି କରିବା ସହ ରେଳ ଚଳାଚଳକୁ ସୁଗମ କରିବ ଏବଂ ଭିଡ଼ କମାଇବାରେ ସାହାଯ୍ୟ କରିବ। ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ପ୍ରକଳ୍ପ ନିର୍ମାଣ ହେବ। ଓଡ଼ିଶା କିନ୍ତୁ ଥିରେ ଅଧିକ ଲାଭବାନ ହେବ। କଟକ-ପାରାଦୀପ (ବଡ଼ବନ୍ଧ), ଭଦ୍ରକ-ହରିଦାସପୁର, ଖଡ଼ଗପୁର- ଭଦ୍ରକ (ରାଣୀତାଲ)କୁ ନୂଆ ରେଳଲାଇନ୍ ବିଛାଯିବ। ଏହି ୪ ରାଜ୍ୟର ୮ଟି ଜିଲ୍ଲାକୁ ସାମିଲ କରୁଥିବା ଏହି ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ। ୨୦୩୦-୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୯,୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶାକୁ ଏହି ପ୍ରକଳ୍ପ ମଂଜୁର କରିଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ବିକାଶରେ ଏହି ପ୍ରକଳ୍ପ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ହେଉଛି, ଖଡ଼ଗପୁର – ଭଦ୍ରକ (ରାଣୀତାଲ) ୪ର୍ଥ ଲାଇନ୍: ୧୭୩ କିମି (ପଶ୍ଚିମବଙ୍ଗ ଏବଂ ଓଡ଼ିଶା)। ଭଦ୍ରକ – ହରିଦାସପୁର ୪ର୍ଥ ଲାଇନ୍: ୭୫ କିମି, କଟକ – ପାରାଦୀପ (ବଡ଼ବନ୍ଧ): ୩ୟ ଏବଂ ୪ର୍ଥ ଲାଇନ୍ – ୭୨ କିମି (ଓଡ଼ିଶା) ଏବଂ ଗୁମ୍ମିଡିପୁଣ୍ଡି – ଗୁଡୁର ୩ୟ ଏବଂ ୪ର୍ଥ ଲାଇନ୍: ୯୦ କିମି (ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ)। ଏହାଦ୍ବାରା ଲାଇନ୍ କ୍ଷମତା ବୃଦ୍ଧି ପାଇବା ସହ ଯାତାୟତ ସୁଗମ ହେବ।ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ବଢ଼ିବ। ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ରେଳ ଚଳାଚଳକୁ ସୁଗମ କରିବା ସହ ଭିଡ଼ କମାଇବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନୂତନ ଭାରତ’ ପରିକଳ୍ପନାକୁ ସାକାର କରିବ। ମଲ୍ଟି-ମୋଡାଲ୍ କନେକ୍ଟିଭିଟି ଏବଂ ଲଜିଷ୍ଟିକ୍ସ କ୍ଷମତା ବୃଦ୍ଧି ଉପରେ ଧ୍ୟାନ ଦେଇ ‘ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଆଧାରରେ ଏହି ପ୍ରକଳ୍ପଗୁଡ଼ିକର ଯୋଜନା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଯାତ୍ରୀ ପରିବହନ, ପଣ୍ୟଦ୍ରବ୍ୟ ଏବଂ ସେବାର ନିରବଚ୍ଛିନ୍ନ ଚଳାଚଳ ପାଇଁ ସୁବିଧା ଯୋଗାଇଦେବ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!