ଫଟୋଗ୍ରାଫି କେବଳ ଏକ କଳା ନୁହେଁ, ଏହା ଏପରି ଏକ ମାଧ୍ୟମ ଯାହାକି ଜୀବନର ପ୍ରତିଟି କ୍ଷଣକୁ ସାଇତି ରଖିବାରେ ସାହାଯ୍ୟ କରିଥାଏ। ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏହା କଏଦ କରି ରଖିଥାଏ। ଫଟୋଗ୍ରାଫିରେ ସଉକ ରଖିଥିବା ତଥା ଏହି ବୃତ୍ତିକୁ ଆପଣେଇ ନେଇଥିବା ଫଟୋଗ୍ରାଫରମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ‘ବିଶ୍ବ ଫଟୋଗ୍ରାଫି ଦିବସ’ ଭାବରେ ପାଳନ କରାଯାଉଛି। ଯୁଦ୍ଧର ଭୟାବହତା ହେଉ କି ଦାଦନ ଶ୍ରମିକଙ୍କ ନିର୍ଯାତନାର ଦୁଃଖ, ଆମାଜନ୍ ଜଙ୍ଗଲର ଆଦିମ ଅଧିବାସୀଙ୍କ ଜୀବନଧାରା ହେଉ କି ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳକୁ କ୍ୟାମେରାରେ ସାଇତି ରଖିଥାନ୍ତି ଫଟୋଗ୍ରାଫରମାନେ।
ପୂର୍ବରୁ ଲୋକେ ଷ୍ଟୁଡିଓ ଯାଇ ଫଟୋ ଉଠାଉଥିଲେ। ସ୍ମାର୍ଟଫୋନ୍ର ଜମାନାରେ ଏବେ ପ୍ରତି ଲୋକଙ୍କ ହାତରେ କ୍ୟାମେରା। ଫଟୋ ଉଠାଇବା ପାଇଁ ଆଉ ଷ୍ଟୁଡିଓ ଯିବାର ଆବଶ୍ୟକତା ନାହିଁ କି କୁଆଡ଼େ ବୁଲି ଗଲାବେଳେ ସାଙ୍ଗରେ କ୍ୟାମେରା ନେଇ ଯିବାର ଲୋଡ଼ା ନାହିଁ। ବର୍ତ୍ତମାନ ଯିଏ ଯୋଉଠି ଚାହୁଁଛି ଫଟୋ ଉଠାଇ ପାରୁଛି ଓ ସେଲ୍ଫି ନେଇପାରୁଛି। ୧୮୩୯, ଜାନୁଆରୀ ୯ ତାରିଖରେ ବିଶ୍ବରେ ପ୍ରଥମ କରି ଫଟୋଗ୍ରାଫି ଆରମ୍ଭ ହୋଇଥିଲା। ଜୋସେଫ୍ ନାଇସଫୋର୍ ଓ ଲୁଇସ୍ ଡାଗେର୍ ନାମରେ ଦୁଇ ଜଣ ବୈଜ୍ଞାନିକ ‘ଡେଗୁଏରୋଟାଇପ୍ ପ୍ରକ୍ରିୟା’ର ଆରମ୍ଭ କରିଥିଲେ। ‘ଡେଗୁଏରୋଟାଇପ୍ ପ୍ରକ୍ରିୟା’ ହେଉଛି ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା। ଏହି ଉଦ୍ଭାବନର ଘୋଷଣା ଫ୍ରାନ୍ସ ସରକାର ୧୯ ଅଗଷ୍ଟ ୧୮୩୯ ମସିହାରେ କରିଥିଲେ। ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୯ ଅଗଷ୍ଟ ଦିନ ‘ୱାର୍ଲଡ୍ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ।
ତେବେ ୨୦୧୦ରେ ଫଟୋଗ୍ରାଫି ଦିବସ ଲୋପ୍ରିୟତା ହାସଲ କରିଥିଲା। ଏହି ଦିନ ୨୭୦ ଜଣ ଫଟୋଗ୍ରାଫର୍ ଏକ ବିଶ୍ବସ୍ତରୀୟ ଅନ୍ଲାଇନ୍ ଗ୍ୟାଲେରୀରେ ନିଜର ଫଟୋଗୁଡ଼ିକୁ ସେୟାର୍ କରିଥିଲେ। ଯାହାଫଳରେ ଏହା ଘରେ ଘରେ ପରିଚିତ ହେବା ସହ ଲୋକପ୍ରିୟତା ହାସଲ କରିଛି । ଏହି ଦିବସ ପାଳନ ଅବସରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ୨୦୨୪ ମସିହା ପାଇଁ ବିଶ୍ବ ଫଟୋଗ୍ରାଫି ଦିବସର ବିଷୟବସ୍ତୁ ରହିଛି- ‘ଏକ ସଂପୂର୍ଣ୍ଣ ଦିନ’।

