କିଏ ହେବେ ବିଜେପି ରାଜ୍ୟ ସଭାପତି, ଜୋର୍‌ ଧରିଲାଣି ଚର୍ଚ୍ଚା

ଖୁବ୍‌ ଶୀଘ୍ର ଓଡ଼ିଶା ବି‌ଜେପିର ସାଙ୍ଗଠନିକ ଅଦଳବଦଳ ହେବ। ମଣ୍ଡଳ ସଭାପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ବଦଳିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ଶନିବାର ନୂଆଦିଲ୍ଲୀ‌ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ଓଡ଼ିଶା ବିଜେପିର ସଂଗଠନ ଦାୟିତ୍ବରେ ଥିବା ନେତାମାନେ ବୈଠକ କରି ଏନେଇ ରୂପରେଖ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍‌ ମାସରୁ ‌ଶେଷ ହୋଇସାରିଛି। ଡିସେମ୍ବର ସୁଦ୍ଧା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ। ହେଲେ ଏହା ପୂର୍ବରୁ ସମସ୍ତ ରାଜ୍ୟରେ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ବିଭିନ୍ନ ପଦାଧିକାରୀ ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ହେବ। ତା’ ପରେ ଯାଇ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ। ବିଜେପି ସାଙ୍ଗଠନିକ ପଦପଦବି ବଦଳିବା ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ରାଜ୍ୟ ସଭାପତି କିଏ ହେବ ତାହା ଉପରେ ସମସ୍ତଙ୍କ ନଜର। ମନ‌ମୋହନ ସାମଲଙ୍କୁ ଦଳ ମାର୍ଚ୍ଚ ୨୪, ୨୦୨୩ରେ ରାଜ୍ୟ ସଭାପତି ଦାୟିତ୍ବ ଦେଇଥିଲା। ତାଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଦୁଇ ଦଫାରେ ବଢ଼ିଥିବାରୁ ଏହି ସମୟରେ ଯେଉଁ ରାଜ୍ୟରେ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଥିଲା ତାହା ଅନ୍ତରୀଣ ନିଯୁକ୍ତି ଥିଲା। ତେଣୁ ରାଷ୍ଟ୍ରୀୟ ସଭାପତି ବଦଳିବା ସହ ରାଜ୍ୟ ସଭାପତି ବଦଳିବେ ବୋଲି କୁହାଯାଉଛି। ଏହାକୁ ଦେଖିଲେ ମନମୋହନଙ୍କ ପରେ କିଏ ଓଡ଼ିଶା ବିଜେପିର ମଙ୍ଗ ଧରିବେ ତାହାକୁ ନେଇ ଏବେଠୁ ଲବି ଆରମ୍ଭ ହେଲାଣି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!