ଗଣେଶ ମୂର୍ତ୍ତି ନଦୀରେ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବିଏମ୍‌ସି । ଆବଶ୍ୟକ ପଡିଲେ ଅନୁଷ୍ଠାନଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ଏ ନେଇ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ କରାଯାଇଛି ।

ପ୍ରତିବର୍ଷ କୁଆଖାଇ ଏବଂ ଦୟା ନଦୀରେ ବହୁ ମୂର୍ତ୍ତି ବିସର୍ଜନ ହେଉଛି । ମୂର୍ତ୍ତିରେ ବ୍ୟବହୃତ ନଡା ଓ କେମିକାଲ ପାଣିରେ ମିଶିବା ଦ୍ୱାରା ଜଳ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ପୋଖରୀର ଚାରି ପାର୍ଶ୍ଵରେ ଜରି ଦିଆଯାଇଛି । ବଡ ବଡ ମୂର୍ତ୍ତିଗୁଡିକୁ ହାଇଡ୍ରା ସହାୟତାରେ ଗାଡିରୁ ଉଠାଇ ପୋଖରୀରେ ବିସର୍ଜନ କରାଯିବାର ବ୍ୟବସ୍ଥା କରାଯାଇଛି । ଅଧିକାଂଶ ମୂର୍ତ୍ତି ରାତିରେ ବିସର୍ଜନ ହେଉଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ପୋଖରୀ ଚାରିପାଖକୁ ଆଲୋକୀକରଣ କରାଯାଇଛି । ଟଙ୍କପାଣି ବ୍ରିଜ୍‌ ନିକଟରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳାଯାଇଛି ।

ଏହି ପୋଖରୀର ଦୈର୍ଘ୍ୟ ୨୬ ମିଟର, ପ୍ରସ୍ଥ ୧୬ ମିଟର ହୋଇଥିବା ବେଳେ ଏହାର ଗଭୀରତା ୩ ମିଟର ରହିଛି । ସେହିପରି ଦୟାନଦୀ କୂଳରେ ହୋଇଥିବା ପୋଖରୀର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୨୫ ଏବଂ ୧୨ ମିଟର ହୋଇଥିବା ବେଳେ କୁଆଖାଇ ନଦୀକୂଳରେ ୧୬ ମିଟର ଦୈର୍ଘ୍ୟ ଓ ୧୦ ମିଟର ଓସାରର ପୋଖରୀ ଖନନ କରାଯାଇଛି । ସମସ୍ତଙ୍କର ଗଭୀରତା ପ୍ରାୟ ସମାନ ରହିଛି । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ, ଗଣେଶ ପୂଜା ମଣ୍ଡପ, ବିଭିନ୍ନ ଅନୁଷ୍ଠାନ ଓ କ୍ଲବର କର୍ମକର୍ତ୍ତାଙ୍କ ସହ ଜନସାଧାରଣ ଏହି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି ।

Post Views86 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!