ଗଣଦୁଷ୍କର୍ମ ଘଟଣା : ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ୧୩ ଦଫା ସମ୍ବଳିତ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ପଞ୍ଚାୟତ ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମରେ ଘଟିଯାଇଥିବା ଲଜ୍ଜାଜନକ ଘଟଣା ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସହିତ ଆପ୍ ର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକ ମାନଙ୍କୁ ପଚାରି ବୁଝିଥିଲେ, ସଖୀ କେନ୍ଦ୍ର ଓ ଭାପୁର ପୋଲିସ ଫାଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୀଡିତାଙ୍କୁ ଦୀର୍ଘ ମାସ ହେଲା ସେହି ଗ୍ରାମର ପ୍ରାୟ ଦଶ ଜଣ ଯୁବକ ଏକ ପରିତ୍ୟକ୍ତ ଡୋକ୍ରାଗୃହ ଛାତ ଉପରେ ଗଣ ଦୁଷ୍କର୍ମ କରିଆସୁଥିଲେ ଓ ବର୍ତ୍ତମାନ ପୀଡିତା ୭ ମାସର ଅନ୍ତଃସତ୍ତ୍ୱ।  ଏବେ ସଖୀ କେନ୍ଦ୍ର ତତ୍ୱାବଧାନରେ ଅଛନ୍ତି । ପାଞ୍ଚ ଜଣ ଅପରାଧୀ ଗିରଫ ହୋଇସାରିଛନ୍ତି । ଗ୍ରାମବାସୀ ଏବଂ ସମସ୍ତ ସରକାରୀ କଳ ଏହି ଘଟଣା ବିଷୟରେ ଜାଣି ସୁଦ୍ଧା ଚୁପ୍ ଥିଲେ । ଏପରି ଲୋମହର୍ଷଣକାରୀ ଘଟଣାର ପୁନରାବୃତ୍ତି ନହେବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ତୁରନ୍ତ ପଦକ୍ଷେପ ନେବାପାଇଁ ଆମ୍ ଆଦମୀ ପାର୍ଟି ପ୍ରଦାନ କରିଛି ।

ଦାବି ଗୁଡିକ ଯଥା : ପୀଡ଼ିତା ଏବଂ ତାଙ୍କ ପିତାଙ୍କର ସାମାଜିକ ସୁରକ୍ଷା (ଭତ୍ତା) ତୁରନ୍ତ ପ୍ରଦାନ କରାଯାଉ, କୀର୍ତ୍ତନ ମହାରଣାଙ୍କୁ ଆଇନ ଅନୁଯାୟୀ ଜାଗା ସହ ବାସଗୃହ ତୁରନ୍ତ ପ୍ରଦାନ କରାଯାଉ ଏବଂ ସେମାନଙ୍କର ମାନସିକ ରୋଗର ଚିକିତ୍ସା କରାଯାଉ । ସେହିପରି ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦ ଦଶ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ, ପୀଡ଼ିତା ଗର୍ଭରେ ଥିବା ପିଲା ଏବଂ ବଳାତ୍କାରୀମାନଙ୍କ ଡିଏନଏ ପରୀକ୍ଷା କରାଯାଇ ପିଲାର ଆଇନଗତ ପିତୃ ପରିଚୟ ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଉ । ପୀଡ଼ିତା କହିବା ଅନୁସାରେ ବଳାତ୍କାରୀମାନଙ୍କ ସ୍ତ୍ରୀ, ବାପାମା’ଙ୍କୁ ଏପରି ଦୁଷ୍କର୍ମ ବନ୍ଦ କରିବା ପାଇଁଁ ନେହୁରା ହୋଇ ଜଣାଇଛି। କିନ୍ତୁ ସେମାନେ ଉପହାସ କରି ଏଡାଇ ଦେଇଥିଲେ। ତେଣୁ ସମ୍ପର୍କୀୟମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯାଉ । ମହିଳାମାନଙ୍କୁ ଆଇନଗତ ସହାୟତା ଯୋଗାଇ ଦେଉଥିବା ସଂସ୍ଥା “ସଖୀ” ପୀଡ଼ିତାଙ୍କ ସମ୍ପର୍କରେ ପାଞ୍ଚ ଦିନ ପୂର୍ବରୁ ଜାଣିଥିଲେ ମଧ୍ଯ ଉଚିତ୍ ପଦକ୍ଷେପ ନେଇ ନାହିଁ। ଏଥିରେ ଅବହେଳା କରିଥିବା ସଖୀ ଅଧିକାରୀମାନଙ୍କୁ ବହିଷ୍କାର କରାଯାଉ  । ପୀଡ଼ିତା ଦୁଇ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରର ନିକଟବର୍ତ୍ତୀ ଡୋକ୍ରା ଗୃହ ବାରଣ୍ଡାରେ ରହୁଥିବା ବେଳେ ସାତ ମାସ ଗର୍ଭବତୀ ହେବା କଥା ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ, ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀ କେହି ଜାଣି ନପାରିବା ଦୁର୍ଭାଗ୍ୟଜନକ। ତେଣୁ ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଦଣ୍ଡିତ କରାଯାଉ । ସଖୀ ଅଧିକାରୀମାନେ ସଦର ଥାନାର ସହାୟତା ମାଗିଥିଲେ, କିନ୍ତୁ ପୋଲିସ ବିଭାଗ ଘଟଣାକୁ ହାଲୁକା ଭାବରେ ନେଇଥିଲା ଏବଂ ସୁଅ ମୋଟୋ ମାମଲା ରୁଜ୍ଜୁ କରିନଥିଲା। ଏପରି ଦାୟିତ୍ଵହୀନ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଚାକିରୀରୁ ନିଲମ୍ବନ କରାଯାଉ। ଅଧିକାରୀଙ୍କ ବିରୋଧରେ ଆଇପିସି ଧାରା ୧୫୩, ୧୬୧,୧୬୬, ୧୭୭, ୨୧୬ ଓ ୨୧୭ କାହିଁକି ନଲଗାଯିବ ଏବଂ କାହିଁକି ଦଣ୍ଡିତ ନହେବେ? ଏହି ଧାରଗୁଡିକ ଅନୁସାରେ ପୋଲିସ ଅଧିକାରୀଙ୍କୁ ଦଣ୍ଡିତ କରାଯାଉ । ତାଛଡା ପୀଡ଼ିତାଙ୍କ ବୟାନ ଅନୁସାରେ ସମସ୍ତ ଦୋଷୀମାନଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ । ବଳାତ୍କାରୀମାନେ ସେହି ଛାତ ଉପରେ ନିୟମିତ ଭାବରେ ମଦ୍ୟପାନ କରନ୍ତି ଏବଂ ନିଶାଶକ୍ତ ଅବସ୍ଥାରେ ପ୍ରତ୍ୟେକଦିନ ପୀଡ଼ିତାଙ୍କ ଉପରେ ଅତ୍ୟାଚାର କରନ୍ତି। ଗାଁ ଗହଳରେ ଖୁଲମଖୁଲା ମଦ ବ୍ଯବସାୟ ଏବଂ ମଦ୍ୟପାନ ବନ୍ଦ କରାଯାଉ।

ଉପରୋକ୍ତ ଦାବିଗୁଡିକୁ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗଦେଇ କହିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!