ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଆଉ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଛି କି? ରତ୍ନଭଣ୍ଡାର ମରାମତି ପୂର୍ବରୁ ଏହି ଚର୍ଚ୍ଚା ଉପରୁ ପରଦା ହଟାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧକ୍ରମେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଯାଞ୍ଚ କରୁଛି। ଗତ ୧୮ ତାରିଖରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯାଇଥିଲା। ବଳକା ଯାଞ୍ଚ ଶନିବାରଠାରୁ ଆରମ୍ଭ ହେବ। ତିନିଦିନ ଧରି ରତ୍ନଭଣ୍ଡାରର ଜିପିଆର୍ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରିବ ଏଏସ୍ଆଇ।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଶନିବାରଠାରୁ ତିନିଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଯାଞ୍ଚ ସମୟ ସ୍ଥିର ହୋଇଛି। ୨୪ ତାରିଖ ସୁଦ୍ଧା ରତ୍ନଭଣ୍ଡାରର ବାକିଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏଏସ୍ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ତାରିଖ ସ୍ଥିର ହୋଇଛି।

