ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି

ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜେପିର କଡ଼ା ଟାର୍ଗେଟ୍। ଗତକାଲି ବିଜେଡି ପକ୍ଷରୁ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ X ରେ ଦର୍ଶାଯାଇଥିଲା ଯେ, ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଂପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନିମାସରେ ୪ ଥର ସାଂପ୍ରଦାୟିକ ଅଶାନ୍ତି ଦେଖାଯାଇଛି। ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ନବୀନ ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ।

ଏହାର ଜବାବରେ ବିଜେପି ଦର୍ଶାଇଛି ଯେ, ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ନବୀନ ବାବୁ ନିଜେ କ୍ରମାଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ପ୍ରଥମେ ଉତ୍ତର ଦିଅନ୍ତୁ ଯେ, କନ୍ଧମାଳ ଦଙ୍ଗା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ ? ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ସେହିପରି ୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥରମାଡ ଆଉ ଦଙ୍ଗା ସମୟରେ ରାଜ୍ୟରେ କେଉଁ ଦଳ ଶାସନ କରୁଥିଲା ବୋଲି ବିଜେପି ପ୍ରଶ୍ନ କରିଛି। ୨୪ ବର୍ଷରେ ଓଡ଼ିଶାରେ ଅଶାନ୍ତି ବାଣ୍ଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାଂପ୍ରଦାୟିକ ବୟାନ ବାଜି କରିବା ନିନ୍ଦନୀୟ। ଦଳ ଏହା ବି ଦର୍ଶାଇଛି ଯେ, ଏବେ ଭଦ୍ରକରେ ହୋଇଥିବା ଦଙ୍ଗାରେ ଗିରଫ ହୋଇଥିବା ଦଙ୍ଗାକାରିମାନଙ୍କ ଫଟୋ ବିଜେଡିର ବିଧାୟକଙ୍କ ସହିତ ରହିଛି। ସେମାନେ ବିଜେଡିର ସକ୍ରିୟ ଓ ଆଗ ଧାଡିର ସଦସ୍ୟ ଅଟନ୍ତି। ନବୀନ ବାବୁ ନିଜେ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ରାଜ୍ୟସଭା ଟିକେଟ ଦେଇ ସାଂସଦ କରିଛନ୍ତି। ୨୦୧୭ ମସିହାରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡ଼ିଶା ସାଂପ୍ରଦାୟିକ ହିଂସାରେ ଦେଶରେ ତିନି ନମ୍ବର ସ୍ଥାନରେ ଥିଲା । ୨୦୨୨ରେ ଓଡିଶାରେ ମାତ୍ର ଗୋଟିଏ ବର୍ଷରେ ୧୫ରୁ ଅଧିକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା।ସେହିପରି ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟାର ତଥା ସାମ୍ପ୍ରଦାୟିକ ଦଙ୍ଗାର ଅପରାଧୀ ରାଜା ଖାନକୁ ଯେତେବେଳେ ଓଡ଼ିଶାରେ ବିଜେଡିର ଜଣେ ତତକାଳିନ ବିଧାୟକ ସୁରକ୍ଷା ଦେଇଥିଲେ, ସେତେବେଳେ ନବୀନ ବାବୁ କାହିଁକି ଚୁପ୍ ଥିଲେ ବୋଲି ଦଳର ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!