ଲାଞ୍ଚ ନେବା କାଳ ହେଲା। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେବାକୁ ଅଡ଼ି ବସିଥିଲେ। ଶେଷରେ ଗତ ରାତିରେ ଲାଞ୍ଚ ଟଙ୍କା ନେଉଥିବା ବେଳେ କିରାଣି ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍।
ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବିଇଓ କାର୍ଯ୍ୟାଳୟରେ ଗତ ରାତିରେ ଘଟିଛି। ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ବାବୁଜଣକ ହେଉଛନ୍ତି ଖୋର୍ଦ୍ଧା ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ତଥା ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।
୨୦୧୮ ମସିହାରୁ ଅବସର ନେଇଥିବା ଖୋର୍ଦ୍ଧା କୋଣାର୍କ ନଗରର ଶିକ୍ଷୟତ୍ରୀ ବିଜୟିନୀ ତ୍ରିପାଠୀ ତାଙ୍କ ଏରିଅର ଟଙ୍କା ପାଇବାକୁ ବାରମ୍ବାର ବିଇଓଙ୍କ କାର୍ଯ୍ୟାଳୟ ଦୌଡ଼ୁଥିଲେ । ତେବେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

