ମୋଦି-ଶାହଙ୍କ ତିନି ଦିନିଆ ଓଡ଼ିଶା ଗସ୍ତକୁ ନେଇ ବଢ଼ିଲା ରାଜନୈତିକ ହଟଚମଟ । ଖାସ୍ କରି ନିଜେ ପ୍ରଧାନମନ୍ତ୍ରୀ ମୋଦି ତିନିଦିନ ଓଡ଼ିଶାରେ ରହିବା ହଟଚମଟ ସୃଷ୍ଟି କରିଛି । ଗୋଟିଏ ପଟେ ମୋଦିଙ୍କ ଫୋକସରେ ଓଡ଼ିଶା ଆଉ ଅନ୍ୟପଟେ ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏପରି ସ୍ଥିତିରେ ଅଧିକରୁ ଅଧିକ ଅସନ୍ତୁଷ୍ଟ ବିଜେଡି ନେତା ଦଳ ଛାଡି ବିଜେପିକୁ ଆସିପାରନ୍ତି ବୋଲି ବୟାନ ବାଜି ତେଜିଲାଣି । ବିଜେଡିର ଯୁକ୍ତି ବିଜେପିର ଏ ଫର୍ମୁଲା ଓଡ଼ିଶାରେ କାମ ଦେବନି । ତେଣେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।
ତେବେ ଓଡ଼ିଶାରେ ତିନି ଦିନ ମୋଦି ଓ ଶାହ ରହିବା ରାଜନୈତିକ ମହଲରେ ବଡ଼ ଆଲୋଡନ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ମୋଦି ଓ ଶାହଙ୍କ ଏହି ତିନିଦିନିଆ ଗସ୍ତ ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି କରିପାରେ । ଗୋଟିଏ ପଟେ ବିଜେଡିରୁ ଦୁଇ ରାଜ୍ୟସଭା ସାଂସଦ ଛାଡି ବିଜେପିରେ ମିଶିବା ଓ ଅନ୍ୟପଟେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେବା ନୂଆ ଦିଶା ଦେଇପାରେ ରାଜ୍ୟ ରାଜନୀତିକୁ । କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା ଥିବାରୁ ବିଜେଡିର ଅସନ୍ତୁଷ୍ଟ ନେତା ଏବେ ବିଜେପି ମୁହାଁ । ଆଉ ମୋଦି-ଶାହଙ୍କ ଏହି ଗସ୍ତ ଏହାକୁ ଅଧିକ ଇନ୍ଧନ ଯୋଗାଇପାରେ ।

