ଆପଣଙ୍କୁ ସୋସିଆଲ ମିଡିଆ ହେଉ କିମ୍ବା ଫୋନ୍ କଲ ମାଧ୍ୟମରେ ହେଉ, କେହି ନା କେହି ବିଦେଶରେ ଚାକିରି କରିବାକୁ ଅଫର ଦେଇପାରନ୍ତି। ଆଉ ଏଇଠୁ ଆରମ୍ଭ ହୁଏ ସାଇବର ଠକଙ୍କ ଜାଲ। ପ୍ରଥମେ ଆପଣଙ୍କ କେହି ଦୂର ସମ୍ପର୍କୀୟ ଆପଣଙ୍କୁ ଲୋଭ ଦେଖାଇବେ ବିଦେଶରେ ଚାକିରି କରିବାର। କହିବେ ‘ଓଡ଼ିଶାରେ କିମ୍ବା ଭାରତରେ କେତେ ଟଙ୍କା ପାଉଛୁ, ତାଠୁ ଅଧିକ ଟଙ୍କା ମିଳିବ ବିଦେଶରେ। ମୁଁ ବିଦେଶରେ ଚାକିରି କରି ଖୁବ୍ ଭଲରେ ଅଛି। ତୁ ଆସ, ମୁଁ ତୋ ପାଇଁ ସବୁ ବ୍ୟବସ୍ଥା କରିଦେବି। ଭଲ ଘର ପାଇବୁ, ଭଲ ବେତନ ବି ମିଳିବ। ତୋର ସବୁ ଦୁଃଖ ଦୂର ହେବ। ତୋ ପରିବାର ଶାନ୍ତିରେ ଚଳିବ।’ବାସ୍… ଏତିକି କଥା ପରେ ଚାକିରି ଖୋଜୁଥିବା ଲୋକମାନେ ବାହାରି ଯାଆନ୍ତି ବିଦେଶରେ କାମ କରିବାକୁ। କଳେବଳେ କୌଶଳେ ସେମାନଙ୍କୁ ୱାର୍କ ଭିସା ବଦଳରେ ଟ୍ରାଭେଲ ଭିସା ମାଧ୍ୟମରେ ଏଜେଣ୍ଟମାନେ ନେଇଯାଆନ୍ତି ବିଦେଶ। ହେଲେ ଟ୍ରାଭେଲ ଭିସା ଅବଧି ସରିବା ପରେ ଆଉ ତାଙ୍କୁ ଗୁରୁତ୍ୱ ଦେଇନଥାଏ ସଂସ୍ଥା। ଏମିତିକି ପାସ୍ପୋର୍ଟ ମଧ୍ୟ ଛଡ଼ାଇ ନେଇଥାନ୍ତି।ତାପରେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅନ୍ୟଏକ ଦେଶକୁ ନେଇଯାଆନ୍ତି। ଯେମିତିକି କାମ୍ବୋଡ଼ିଆ, ଲାଉସ୍, ମିଆଁମାର ଭଳି ଦେଶ। ଏହି ଦେଶ ଗୁଡ଼ିକ ଖୁବ୍ ପାଖାପାଖି ରହିଛି। ତେଣୁ ଅନ୍ୟ ଦେଶକୁ ନେବାରେ ସେମାନଙ୍କୁ ସହଜ ହୋଇଥାଏ। ସେଠାରେ ଏମିତି ଏକ ସ୍ଥାନ ରହିଥାଏ, ଯାହାକୁ ଚାରିପଟୁ ସିକ୍ୟୁରିଟି ଗାର୍ଡମାନେ ଜଗି ରହିଥାନ୍ତି। ସେଠୁ କାହାରିକୁ ବାହାରକୁ ଛାଡ଼ାଯାଇନଥାଏ। ସେମାନେ ଚେଷ୍ଟା କଲେ ବି ବାହାରି ପାରନ୍ତି ନାହିଁ। କାରଣ ପାସ୍ପୋର୍ଟ ନଥାଏ। ବାହାରକୁ ବାହାରିଲେ ପୋଲିସ ଗିରଫ କରିବାର ଭୟ ରହିଥାଏ। ଯେଉଁମାନେ ଟିକେ ଅରାଜି ହୁଅନ୍ତି ସେଠି କାମ କରିବାକୁ, ସେମାନଙ୍କୁ ନିର୍ଧୁମ ମାଡ଼ ମଧ୍ୟ ମାରନ୍ତି ସିକ୍ୟୁରିଟି। ଯଦି କେହି କଳେ ବଳେ କୌଶଳେ ବାହାରି ଆସନ୍ତି ସେଠାରୁ, ସେମାନେ ଆଉ ଫେରିବାକୁ ଚାହାଁନ୍ତି ନାହିଁ।
ସେଠୁ ବାହାରିବା ପାଇଁ କିମ୍ବା ଛାଡ଼ିବା ପାଇଁ ସଂସ୍ଥା ପକ୍ଷରୁ ରଖାଯାଇଥାଏ ଅନେକ ସର୍ତ୍ତ। ସାଇବର ସ୍ଲେଭ୍ ସେହି ଯାଗା ଛାଡ଼ିବାକୁ ହେଲେ ସେଠାରେ ଅନ୍ୟ ପିଲାଙ୍କୁ ରଖିବାକୁ ହୋଇଥାଏ। ତେଣୁ ସେମାନେ ଲାଗି ପଡ଼ନ୍ତି ଚାକିରି ଖୋଜୁଥିବା ପିଲାଙ୍କ ସନ୍ଧାନରେ। ନିଜେ ଯେମିତି ଫସିଥିଲେ, ଠିକ୍ ସେମିତି ଅନ୍ୟ ପିଲାଙ୍କୁ ଫସାଇବାକୁ ଚେଷ୍ଟା କରନ୍ତି। ବିଦେଶରେ ଚାକିରି କରିବାର ପ୍ରଲୋଭନ ଦେଖାଇ ଡାକନ୍ତି। ନଚେତ୍ ସାଇବର ସ୍ଲେଭ୍ ମାନଙ୍କୁ ମୋଟା ଅଙ୍କର ଟଙ୍କା ମଗାଯାଇଥାଏ। ଆଉ ସେହି ଟଙ୍କା ପୈଠ କଲା ପରେ ତାଙ୍କୁ ସେହି ନର୍କରୁ ମୁକ୍ତି ମିଳିଥାଏ।

