ଓଡ଼ିଶାକୁ ୭ ଜାତୀୟ ପଞ୍ଚାୟତ ପୁରସ୍କାର

ଓଡ଼ିଶାକୁ ବୁଧବାର  ୭ଟି ବର୍ଗରେ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲାକୁ ୩ଟି ଓ ସୁନ୍ଦରଗଡ଼କୁ ୨ଟି ପୁରସ୍କାର  ମିଳିଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଦେଶରେ ପ୍ରଥମ  ସ୍ଥାନ ହାସଲ କରିଛି । ଏହା ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ  ଭାବେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ  ସତତ ବିକାଶ ପୁରସ୍କାର ହାତେଇଛି । ପୁରସ୍କାର  ବାବଦରେ ଛତ୍ରପୁରକୁ ୨ କୋଟି ଟଙ୍କା ଦିଆଯାଇଛି ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଜାତୀୟ  ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ  କରିଛନ୍ତି । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ  ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର  ପ୍ରଦାନ କରାଯାଇଛି । ୧୫ଟି ବର୍ଗରେ ମନୋନୀତ  ଦେଶର ମୋଟ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ  ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି ।  ଚଳିତବର୍ଷ ଓଡ଼ିଶା ମୋଟ ୭ଟି ବର୍ଗରେ ୮ କୋଟି  ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛି ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଲୁଆପଲ୍ଲୀ  ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ  ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଛି ।  ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା  ହିଞ୍ଜିଳିକାଟୁ ବ୍ଲକ୍‌ ସାହାପୁର ପଞ୍ଚାୟତ ଦେଶରେ ଦ୍ୱିତୀୟ  ସ୍ଥାନ ହାସଲ କରିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼  ବ୍ଲକ୍‌ କେନ୍ଦ୍ରକିଲା ପଞ୍ଚାୟତକୁ କାର୍ବନ୍‌ ନିଉଟ୍ରାଲ ବିଶେଷ  ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ଦିଆଯାଇଛି । ଏହି  ଦୁଇ ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି ।  ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ କଶିରା ପଞ୍ଚାୟତ  ଜାତୀୟ ସ୍ତରରେ ତୃତୀୟ ସ୍ଥାନରେ ରହି ଗ୍ରାମ ଉର୍ଜା  ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ହାତେଇଛି । ଏହି  ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।

ରାଜ୍ୟର ପଞ୍ଚାୟତିରାଜ ବିଭାଗ ଅଧୀନ  ସର୍ବୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ପ୍ରତିଷ୍ଠାନ ରାଜ୍ୟ  ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ଜାତୀୟ  ସ୍ତରୀୟ ପୁରସ୍କାର ମିଳିଛି । ଏହା ଦେଶରେ ଦ୍ୱିତୀୟ  ସ୍ଥାନରେ ରହିଛି । ପଞ୍ଚାୟତ କ୍ଷମତା ନିର୍ମାଣ  ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ବର୍ଗରେ ଏହି  ପ୍ରତିଷ୍ଠାନକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି  ମିଳିଛି । ଜାତୀୟ ସ୍ତରରେ କୋରାପୁଟ ଦ୍ୱିତୀୟ ଶ୍ରେଷ୍ଠ  ଜିଲ୍ଲା ପଞ୍ଚାୟତ ବିବେଚିତ ହୋଇଛି । ଏଥିପାଇଁ  ଜିଲ୍ଲାକୁ ୩ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି ।

 ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ  ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ  “ପୁରସ୍କାରପ୍ରାପ୍ତ ପଞ୍ଚାୟତର କାର୍ଯ୍ୟ ଉପରେ ଅଭିନବ  ଓ ସର୍ବଶ୍ରେଷ୍ଠ ପ୍ରୟାସ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ଏକ  ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ପ୍ରତିଯୋଗିତାରେ  ଦେଶରେ ୧ ଲକ୍ଷ ୯୪ ହଜାର ପଞ୍ଚାୟତ ଅଂଶଗ୍ରହଣ  କରିଥଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ  ବରିଷ୍ଠ ଅଧିକାରୀ ଗିରିଶ ଏସଏନ୍‌, ସୁରେନ୍ଦ୍ର  କୁମାର ମୀନା, ନିର୍ଦ୍ଦେଶକ ରାଜ୍ୟ ଗ୍ରାମ ଉନ୍ନୟନ ଓ  ପଞ୍ଚାୟତି ରାଜ ପ୍ରତିଷ୍ଠାନ, କୋରାପୁଟ ଜିଲ୍ଲାପାଳ  କିର୍ତ୍ତୀଭାସନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟାତି ପରିଡା,  ଉପନିର୍ଦ୍ଦେଶକ ଅମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!